ଭୁବନେଶ୍ୱର: ବିବାହକୁ ଟିକେ ଭିନ୍ନ ଢଙ୍ଗରେ କରିବା ପାଇଁ ଅନେକ ଲୋକ ଅନେକ କଥା ଆପଣେଇଥାନ୍ତି । କିଏ ଗୋଡ଼ା ଉପରେ ବସି ଯାଇଥାଏ ତ ଆଉ କିଏ ଦାମୀ କାର ନେଇଥାଏ । ହେଲେ କେବେ ଶୁଣିଛନ୍ତି ଯେ ବର JCB ମେସିନ୍ ନେଇ ଯିବାର । ବାସ୍ତବରେ, ଯେତେବେଳେ ବରଫପାତ ଏବଂ ବର୍ଷାରେ ରାସ୍ତା ବନ୍ଦ ହୋଇଗଲା, ସେଇ ସମୟରେ ବର ଏକ JCB ମେସିନ୍ ସାହାଯ୍ୟରେ କନିଆ ଘରେ ପହଞ୍ଚିଗଲା । ଯାହାକୁ ଦେଖିବା ପରେ କନିଆ ଘର ଲୋକେ ଆଶ୍ଚର୍ଯ୍ୟ ଚକିତ ହୋଇଯାଇଥିଲେ । ପରେ ସମସ୍ତ ରୀତିନୀତି ଅନୁସାରେ ଦୁହିଁଙ୍କର ବିବାହ ହୋଇଥିଲା ।
ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଏ ଘଟଣା ହେଉଛି ହିମାଚଳପ୍ରଦେଶ ଗିରିପାର ଅଞ୍ଚଳ ସଙ୍ଗରାହ ଗାଁର। ରବିବାର ସକାଳେ ଶୋଭାଯାତ୍ରା ବାହାରିବା ସମୟରେ ପ୍ରବଳ ତୁଷାରପାତ ହୋଇଥିଲା । ରାସ୍ତା ଠିକ ଭାବେ ଦେଖାଯାଉନଥିବାରୁ ଶୋଭାଯାତ୍ରା ଅଧା ରାସ୍ତାରେ ଅଟକି ଯାଇଥିଲା।
ଏସବୁ ଦେଖି ବରର ପିତା ଜଗତ୍ ସିଂ ଆଗକୁ ଯିବା ପାଇଁ ଏକ ଜେସିବି ମେସିନ୍ ର ବ୍ୟବସ୍ଥା କରିଥିଲେ, ଯେଉଁଥିରେ ବର ବସି ୩୦ କିଲୋମିଟର ଯାତ୍ରା କରିଥିଲେ। ବର ବିଜୟ ପ୍ରକାଶ, ଭାଇ ସୁରେନ୍ଦ୍ର, ପିତା ଜଗତ ସିଂ ଏବଂ ଫଟୋଗ୍ରାଫର ଜେସିବିରେ ବସି ରତୱା ଗାଁରେ ପହଞ୍ଚିଥିଲେ। ଏହା ପରେ ସେଠାରେ ବିବାହର ସମସ୍ତ ରୀତିନୀତି ସମ୍ପନ୍ନ ହୋଇଥିଲା ଏବଂ ସମସ୍ତେ ବର ସହିତ ଘରକୁ ଫେରିଆସିଥିଲେ।