ଭୁବନେଶ୍ୱର: କେରଳର ମାଲାପୁରାମରେ ଭାଇଚାରା ର ଏକ ଉଦାହରଣ ଦେଖିବାକୁ ମିଳିଛି । ଫେବୃଆରୀ ୧୧ ରେ ଏଠାରେ ଜଣେ ୭୨ ବର୍ଷୀୟ ମୁସଲମାନ ବୃଦ୍ଧଙ୍କର ମୃତ୍ୟୁ ହୋଇଥିଲା । ଏହାକୁ ଧ୍ୟାନରେ ରଖି ପାଖ ମନ୍ଦିରରେ ଚାଲିଥିବା ଧାର୍ମିକ ଉତ୍ସବକୁ ଅଧାରୁ ବନ୍ଦ କରିଦିଆଯାଇଥିଲା। ମୃତକଙ୍କ ସମ୍ମାନାର୍ଥେ ମନ୍ଦିର କମିଟି ଏପରି ନିଷ୍ପତ୍ତି ନେଇଥିବା ଜଣାପଡିଛି।
‘ଇଣ୍ଡିଆନ୍ ଏକ୍ସପ୍ରେସ୍’ରେ ପ୍ରକାଶିତ ଏକ ଖବର ଅନୁଯାୟୀ, ମୁସଲିମ ସଂଖ୍ୟାଲଘୁ ଜିଲ୍ଲା ମାଲାପୁରାମର ବିରାନଚିରା ଗ୍ରାମରେ ଅବସ୍ଥିତ ପୁନ୍ନାସେରୀ ଭଗବତୀ ମନ୍ଦିରରେ ପ୍ରତିବର୍ଷ ଧାର୍ମିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥାଏ। ଚଳିତ ବର୍ଷ ମଧ୍ୟ ଅନେକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାକୁ ଯାଉଥିଲା, କିନ୍ତୁ ମନ୍ଦିର କମିଟି ନିକଟରେ ରହୁଥିବା ଚେରାଟିଲ ହାଇଦର (Cherattil Hyder)ଙ୍କ ମୃତ୍ୟୁ ଖବର ପାଇବା ମାତ୍ରେ କାର୍ଯ୍ୟକ୍ରମ ଅଧାରୁ ବନ୍ଦ କରିଦିଆଯାଇଥିଲା।
ମନ୍ଦିର କାର୍ଯ୍ୟକ୍ରମ ଶନିବାର ପର୍ଯ୍ୟନ୍ତ ଚାଲିବାକୁ ଥିଲା, କିନ୍ତୁ ଶୁକ୍ରବାର ଦିନ ହାଇଦରଙ୍କ ମୃତ୍ୟୁ ଖବର ପାଇବା ପରେ କମିଟି ଅବଶିଷ୍ଟ ସମସ୍ତ କାର୍ଯ୍ୟକ୍ରମକୁ ବାତିଲ କରିଦେଇଥିଲେ। କମିଟି କହିଥିଲା ଯେ ହାଇଦରଙ୍କ ସମ୍ମାନାର୍ଥେ ଏପରି ନିଷ୍ପତ୍ତି ନିଆଯାଇଛି। ମନ୍ଦିର କମିଟିର ଅଧିକାରୀ ତଥା ଅନ୍ୟ ହିନ୍ଦୁମାନେ ହାଇଦରଙ୍କ ଅନ୍ତିମ ସଂସ୍କାରରେ ମୃତ ବ୍ୟକ୍ତିଙ୍କ ପ୍ରତି ଯେଉଁଭଳି ଭାବରେ ପ୍ରେମ ଭାବନା ପ୍ରଦର୍ଶନ କରିଥିଲେ, ତାହା ପ୍ରଶଂସନୀୟ।