ଭୁବନେଶ୍ୱର: କଥାରେ ଅଛି ଏକତା ହିଁ ବଳ । ଯାହାକୁ ପ୍ରମାଣ କରିଦେଖାଇଛନ୍ତି ଟ୍ରେନରେ ଯାତ୍ରା କରୁଥିବା ଯାତ୍ରୀ। ମେରଟ ଦାରୁଲା ଷ୍ଟେସନରେ ସାହାରନପୁର ରୁ ଦିଲ୍ଲୀ ଯାଉଥିବା ଏକ ଯାତ୍ରୀବାହୀ ଟ୍ରେନର ଦୁଇଟି କୋଚରେ ହଠାତ ନିଆଁ ଲାଗିଯାଇଥିଲା। କିଏ କଣ ବୁଝିବା ପୂର୍ବରୁ ନିଆଁ ଗୋଟିଏ ବଗିରୁ ଅନ୍ୟ ବଗିକୁ ଧରୁଥାଏ । ଆଉ ଶେଷରେ ବଗିରୁ ବାହାରୁଥିବା ନିଆଁ ଟ୍ରେନ ଇଞ୍ଜିନରେ ପହଞ୍ଚିବାକୁ ଯାଉଥିଲା, କିନ୍ତୁ ରେଳ କର୍ମଚାରୀ ଏବଂ ଯାତ୍ରୀମାନେ ଏହା ଘଟିବାକୁ ଦେଇନଥିଲେ। ଯାତ୍ରୀମାନେ ଏକାଠି ହୋଇ ଟ୍ରେନକୁ ଠେଲି ଠେଲି ଦୁରକୁ ନେଇଯାଇଥିଲେ।
ନ୍ୟୁଜ୍ ଏଜେନ୍ସି ANI ଦ୍ୱାରା ସେୟାର କରାଯାଇଥିବା ଭିଡିଓରେ ଏହା ଜଣାପଡିଛି ଯେ କିପରି ଯାତ୍ରୀ, ଷ୍ଟେସନରେ ଥିବା ଲୋକ ଏବଂ ରେଳ କର୍ମଚାରୀମାନେ ନିଆଁରେ ପ୍ରଭାବିତ କୋଚଗୁଡ଼ିକୁ ଅଲଗା କରିବାକୁ ଚେଷ୍ଟା କରୁଛନ୍ତି। ବର୍ତ୍ତମାନ ସୁଦ୍ଧା ଅଗ୍ନିକାଣ୍ଡର କାରଣ ଜଣା ପଡିନାହିଁ। ତେବେ ଅଗ୍ନିକାଣ୍ଡ କାରଣରୁ କିଛି ସମୟ ପାଇଁ ରେଳ ଚଳାଚଳ ପ୍ରଭାବିତ ହୋଇଥିଲା।