ଭୁବନେଶ୍ୱର: ଦୀର୍ଘ ଦୁଇ ବର୍ଷ ପରେ ହଜିଯାଇଥିବା ପରିବାର କୁ ପାଇଲା ଦିବ୍ୟାଙ୍ଗ ଝିଅ । ଝିଅର ଆଙ୍ଗୁଠି ପାଇଁ ଏହା ସମ୍ଭବ ହୋଇପାରିଛି । ଶେଷରେ ହଜିଯାଇଥିବା ଝିଅକୁ ପାଇ ପରିବାର ଲୋକେ ଖୁସିରେ କାନ୍ଦି ପକେଇଥିଲେ ।
ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ୧ ଫେବୃଆରୀ ୨୦୨୦ ରେ ଜଣେ ୧୦ ବର୍ଷର ଦିବ୍ୟାଙ୍ଗ ଝିଅ କାନପୁର ରେଳ ଷ୍ଟେସନରେ ଏକାକୀ ବୁଲୁଥିଲେ। ଝିଅଟିକୁ ଦେଖି ଲୋକମାନେ ରେଳବାଇର ଚାଇଲଡ ଲାଇନକୁ ସୂଚନା ଦେଇଥିଲେ। ହେଲେ ଝିଅଟି କିଛି କହି ପାରୁନଥିଲା କି କିଛି ଶୁଣିପାରୁନଥିଲା । ସେ ନିଜ ନାମ ଏବଂ ଠିକଣାକୁ ମଧ୍ୟ ଠିକ ସେ ଲେଖିପାରୁନଥିଲା ।
ଦୁଇ ବର୍ଷ ବିତିଗଲା, କିନ୍ତୁ ତାଙ୍କ ପିତାମାତାଙ୍କର କିଛି ତଥ୍ୟ ମିଳିପାରିନଥିଲା । ଏହାରି ମଧ୍ୟରେ, ମହିଳା କଲ୍ୟାଣ ନିର୍ଦ୍ଦେଶାଳୟ ତରଫରୁ ପରିଚୟ ନଥିବା ପିଲାମାନଙ୍କ ପାଇଁ ଆଧାର କାର୍ଡ ତିଆରି କରିବାକୁ ଏକ ନିର୍ଦ୍ଦେଶ ଆସିଥିଲା ।
UIDAI ଟିମ୍ ଏହି ପିଲାମାନଙ୍କର ଆଧାର କାର୍ଡ ତିଆରି କରିବାକୁ ଆସିଥିଲା, ରେଳ ଷ୍ଟେସନରୁ ଉଦ୍ଧାର ହୋଇଥିବା ଦିବ୍ୟାଙ୍କ ଝିଅର ଆଙ୍ଗୁଠି ଏବଂ ଆଖିକୁ ସ୍କାନ୍ କରାଯାଇଥିଲା । ସ୍କାନ୍ ପରେ ଜଣାପଡିଥିଲା ଯେ ତାଙ୍କ ବାୟୋମେଟ୍ରିକ୍ ପୂର୍ବରୁ ରେକର୍ଡ ହୋଇସାରିଛି । ଆଧାର ଦଳ ପୂର୍ବରୁ ପ୍ରସ୍ତୁତ କାର୍ଡ ବାହାର କରି ସେଠାରୁ ତାଙ୍କର ପ୍ରକୃତ ନାମ ଏବଂ ଠିକଣା ପାଇଥିଲେ। ଆଧାର କାର୍ଡରୁ ଜଣାପଡିଛି ଯେ ତାଙ୍କର ପ୍ରକୃତ ନାମ ରେଶମୀ ଏବଂ ସେ ଲୁଧିଆନାର ବାସିନ୍ଦା ବୋଲି।
ଏଭଳି ପରିସ୍ଥିତିରେ ଏକ ଟିମ ତାଙ୍କ ପରିବାର ଲୋକଙ୍କ ସହ ଯୋଗାଯୋଗ କରିଥିଲେ । ହଜିଯାଇଥିବା ଝିଅର ଖବର ପାଇବା ପରେ ରେଶମିଙ୍କ ପରିବାରର କାନପୁରରେ ପହଞ୍ଚିଲେ । ଦୁଇବର୍ଷ ତଳେ ହଜିଯାଇଥିବା ଦିବ୍ୟାଙ୍ଗ ଝିଅ ରେଶମୀକୁ ପାଖରେ ଦେଖି ଖୁସିରେ କାନ୍ଦି ପକେଇଥିଲେ ପରିବାର ଲୋକେ ।