ଭୁବନେଶ୍ୱର: ନକଲି ଖବର ଏବଂ ଭାରତ ବିରୋଧୀ ବିଷୟବସ୍ତୁ ପୋଷ୍ଟ କରିବା ଅଭିଯୋଗରେ ୧୮ ଟି ଭାରତୀୟ ଏବଂ ଚାରିଟି ପାକିସ୍ଥାନ ଭିତ୍ତିକ ୟୁଟ୍ୟୁବ୍ ନ୍ୟୁଜ୍ ଚ୍ୟାନେଲକୁ ବ୍ୟାନ କରିଛି ଭାରତୀୟ ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ। ଏହା ସହିତ ମନ୍ତ୍ରଣାଳୟ ୩ ଟି ଟ୍ୱିଟର ଆକାଉଣ୍ଟ, ୧ ଫେସବୁକ ଆକାଉଣ୍ଟ ଏବଂ ୧ ନ୍ୟୁଜ ୱେବସାଇଟକୁ ମଧ୍ୟ ବ୍ୟାନ କରିଛି । ମନ୍ତ୍ରଣାଳୟ ଏକ ବିବୃତ୍ତିରେ କହିଛି ଯେ ଦର୍ଶକମାନଙ୍କୁ ବିଭ୍ରାନ୍ତ କରିବା ପାଇଁ ଏହି ୟୁଟ୍ୟୁବ୍ ଚ୍ୟାନେଲଗୁଡ଼ିକ ଟିଭି ନ୍ୟୁଜ୍ ଚ୍ୟାନେଲଗୁଡ଼ିକର ଲୋଗୋ ଏବଂ ମିଥ୍ୟା ଥମ୍ବନେଲ ବ୍ୟବହାର କରିଥିଲେ।
ମନ୍ତ୍ରଣାଳୟ କହିଛି ଯେ ଏହି ୟୁଟ୍ୟୁବ ଚ୍ୟାନେଲଗୁଡ଼ିକ ଭାରତୀୟ ସଶସ୍ତ୍ର ବାହିନୀ, ଜାମ୍ମୁ କାଶ୍ମୀର ଭଳି ବିଭିନ୍ନ ପ୍ରସଙ୍ଗରେ ମିଥ୍ୟା ଖବର ପୋଷ୍ଟ କରିବା ସହିତ ପାକିସ୍ତାନରୁ ପରିଚାଳିତ ଅନେକ ସୋସିଆଲ ମିଡିଆ ଆକାଉଣ୍ଟରେ ଅଂଶୀଦାର ହୋଇଥିବା ଭାରତ ବିରୋଧୀ ବିଷୟବସ୍ତୁକୁ ବ୍ୟବହାର କରାଯାଇଥିଲା। କେତେକ କ୍ଷେତ୍ରରେ ପାକିସ୍ତାନରୁ ଭାରତ ବିରୋଧରେ ମିଥ୍ୟା ଖବର ପ୍ରଚାରିତ ହେଉଥିଲା। ଯାହାକୁ ଭିତ୍ତି କରି ଭାରତୀୟ ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ ଏଭଳି ପଦକ୍ଷେପ ନେଇଛି।