ଭୁବନେଶ୍ୱର: ମା ର ମମତା ସମସ୍ତଙ୍କ ପାଇଁ ସମାନ । ସେ ମଣିଷ ହେଉ କି ପଶୁ। ପଶ୍ଚିମବଙ୍ଗର ଜଲପାଇଗୁରିରେ ଏହାର ଏକ ଜୀବନ୍ତ ଉଦାହରଣ ଦେଖିବାକୁ ମିଳିଛି । ହାତୀ ତା’ର ମୃତ ସନ୍ତାନକୁ ଶୁଣ୍ଢରେ ଧରି ଘଣ୍ଟା ଘଣ୍ଟା ଘୁରି ବୁଲୁଥିଲା। ଦେଖିଲେ ଲାଗୁଥିଲା , ଯେମିତି ମା ହାତୀ ମାନିବାକୁ ନାରାଜ ଯେ ତା ଛୁଆ ଏ ଦୁନିଆରେ ଆଉ ନାହିଁ । ହେଲେ ସେ ପରା ମା …ତାକୁ କିଏ ବୁଝେଇବ। ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏଭଳି ଏକ ଯନ୍ତ୍ରଣାଦାୟକ ଭିଡିଓକୁ ଦେଖିଲେ ଆପଣ ମଧ୍ୟ ଭାବପ୍ରବଣ ହୋଇଯିବେ, ଆଖିରୁ ଲୁହ ଜକେଇ ଆସିବ।
ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଥିବା ଖବର ଅନୁଯାୟୀ ଶୁକ୍ରବାର ଦିନ ଜଲପାଇଗୁରିର ଏକ ଚା ବଗିଚାରେ ଏକ ହାତୀ ଛୁଆର ମୃତ୍ୟୁ ହୋଇଥିଲା । ମା ହାତୀଟି ନିଜ ମୃତ କୁ ଧରି ପ୍ରାୟ ୭ କିଲୋମିଟର ପର୍ଯ୍ୟନ୍ତ ନେଇ ଯାଇଥିଲା । ଯାହାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରଲ ହେବାରେ ଲାଗିଛି ।
ଖବର ପାଇ ବନ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ। କିନ୍ତୁ ଜଙ୍ଗଲ କର୍ମଚାରୀମାନେ ମୃତ ହାତୀ ଛୁଆକୁ ନିଜ ମା’ଠାରୁ ଅଲଗା କରିପାରିନଥିଲେ । କାରଣ ମା ହାତୀ କୌଣସି ପରିସ୍ଥିତିରେ ନିଜ ଛୁଆ ଛାଡିବାକୁ ପ୍ରସ୍ତୁତ ନଥିଲା।