କଟକରୁ ୬୯ ଲକ୍ଷ ଟଙ୍କାର ନକଲି କରୋନା ଔଷଧ ଜବତ

କଟକ : ସିଲ୍‌ଭର ସିଟି କଟକରୁ ଜବତ ହେଲା ନକଲି ଫାଭିପିରାଭିର୍‌ ମେଡିସିନ୍‌ | କଟକ କନିକା ଛକରେ ଥିବା ଏକ ମେଡିସିନ ଷ୍ଟୋରରୁ ଏହି ମେଡିସିନ୍‌ ଜବତ ହୋଇଛି | ଡ୍ରଗ୍ସ କଣ୍ଟ୍ରୋଲ ସ୍କ୍ୱାଡ୍‌ ଚଢ଼ଉ କରି ୧୭ ହଜାର ଫାଭିପିରାଭିର୍‌ ଟାବଲେଟ ଜବତ କରିଛି |

କନିକା ଛକରେ ଏହି ମେଡିସିନ ଷ୍ଟୋରରେ ନକଲି ଫାଭିପିରାଭିର୍‌ ମେଡିସିନ୍‌ ବିକ୍ରି ହେଉଥିଲା | କୌଣସି ସୂତ୍ରରୁ ଖବର ପାଇ ଡ୍ରଗ୍ସ କଣ୍ଟ୍ରୋଲ ସ୍କ୍ୱାଡ୍‌ ଚଢ଼ଉ କରିଥିଲା | ଉକ୍ତ ମେଡିସିନ୍‌ ଷ୍ଟୋରରୁ ୧୭୦ ପେଟି ଭର୍ତ୍ତି ଫାଭିପିରାଭିର୍‌ ମେଡିସିନ୍‌ ଜବତ ହୋଇଛି | ସେଥିରେ ୧୭ ହଜାର ଟାବଲେଟ ଥିବା ଜଣାପଡ଼ିଛି | ୬୯ ଲକ୍ଷ ଟଙ୍କାର ନକଲି କରୋନା ଔଷଧ ଜବତ | ହୋଲସେଲର ବିରୁଦ୍ଧରେ ଡ୍ରଗ ଆଣ୍ଡ କସମେଟିକ ଆଇନ ମୁତାବକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ |

ସୂଚନାରୁ ପ୍ରକାଶ, କରୋନା ଆକ୍ରାନ୍ତ ପାଇଁ ଫାଭିପିରାଭିର୍‌ ମେଡିସିନ୍‌ ଡାକ୍ତରଙ୍କ ପରାମର୍ଶରେ ଦିଆଯାଉଛି | ଯେଉଁଥିପାଇଁ ଲୋକମାନେ ମନଇଚ୍ଛା ଫାଭିପିରାଭିର୍‌ ମେଡିସିନ୍‌କୁ ବହୁ ପରିମାଣରେ କିଣିନେଇ ଘରେ ରଖିବା ଫଳରେ ବଜାରରେ ଏହି ଔଷଧର ଅଭାବ ଦେଖାଦେଉଛି | ଆଉ ଏହି ସୁଯୋଗର ଫାଇଦା ନେଇ ଡ୍ରଗ୍ସ ମାଫିଆ ନକଲି ଫାଭିପିରାଭିର୍‌ ମେଡିସିନ୍‌ ତିଆରି କରି ବଜାରକୁ ଛାଡୁଛନ୍ତି |