ଯାତ୍ରା ପରିବେଷଣ ପାଇଁ ୨୦୦୦ ଲୋକ ଦେଖିବାକୁ ଅନୁମତି ଦିଆଯାଉ

ଭୁବନେଶ୍ୱର : ବିଧାନସଭାରେ ଉପସ୍ଥାପନା ହେଲା କଳାକାରଙ୍କ କଥା | ମଂଚଛାଡି ରାଜରାସ୍ତାରେ ଯାତ୍ରା କଳାକାର | ଲୋୟର ପିଏମଜିରେ ଆମରଣ ଅନଶନ ପାଇଁ ଧାରଣା |

ଆଜି ବିଧାନସଭାରେ ଜୟପୁର ବିଧାୟକ ତାରାବାହିନୀ ପତି କଳାକାରଙ୍କ ବିଷୟରେ ଉପସ୍ଥାପନା କରିଛନ୍ତି | ”ଯାତ୍ରା କଳାକାର ମାନେ ଅବହେଳାରେ ରହି ରାଜରାସ୍ତାରେ କାନ୍ଦୁଛନ୍ତି | ହଜାର ହଜାର କଳାକାର ବାଙ୍ଗଲାଦେଶକୁ ଚାଲିଗଲେଣି | ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କୁ ଚିଠି ଲେଖିବା ଉଚିତ | ଏମାନଙ୍କୁ ଶାସ୍ତ୍ରୀୟ ମାନ୍ୟତା ଦିଆଯାଉ | ୨୦୦୦ ଲୋକଙ୍କ ଅନୁମତିରେ ଯାତ୍ରା କରିବା ପାଇଁ ନିର୍ଦ୍ଦେଶ ଦିଅନ୍ତୁ | ବାଚସ୍ପତି ମଧ୍ୟ ସମାଧାନ କରିବାକୁ ରୁଲିଂ ଦେଇଛନ୍ତି” ବୋଲି ତାରାବାହିନୀ ପତି ମିଡ଼ିଆକୁ ଜଣାଇଛନ୍ତି |

କୋଭିଡି କଟକଣା ପରେ ମନ୍ଦିର, ସ୍କୁଲ, କଲେଜ, ବ୍ୟବସାୟ ପ୍ରତିଷ୍ଠାନ ଇତ୍ୟାଦି ଖୋଳହେଲା ହେଲେ ଅନୁମତି ମିଳିଲାନି ଯାତ୍ରା ପରିବେଷଣ ପାଇଁ | ସବୁ କିଛି ଖୋଲିବା ପରେ ରାଜ୍ୟ ସରକାର ଅନୁମତି ଦେଇଥିଲେ ୫୦୦ ଲୋକଙ୍କୁ ନେଇ କୋଭିଡ କଟକଣା ମାନି ଯାତ୍ରା ପରିବେଷଣ କରିବାକୁ | କିନ୍ତୁ ୫୦୦ ପରିବର୍ତ୍ତେ ୫୦ ପ୍ରତିଶତ ବା ଅନ୍ୟୁନ ୨୦୦୦ ଲୋକ ଦେଖିବାର ଅନୁମତି ପ୍ରଦାନ କରନ୍ତୁ ବୋଲି ଯାତ୍ରା କଳାକାର ମହାସଂଘର ଜଣେ ସଦସ୍ୟ ଦାବି କରିଛନ୍ତି | ଯଦି ସରକାର ଦାବି ପୂରଣ ନ କରନ୍ତି ତେବେ ରାଜରାସ୍ତାରେ ଆମରଣ ଅନଶନ କରିବୁ ବୋଲି କହିଛନ୍ତି |

ସମସ୍ତଙ୍କ ପାଇଁ ରୋଜଗାର ଖୋଲିଗଲା କିନ୍ତୁ ମଂଚ କଳାକାରଙ୍କ ରୋଜଗାରର ପନ୍ଥା ଖୋଲିଲା ନାହିଁ | ରାଜ୍ୟ ସରକାର ସମସ୍ତଙ୍କ ପାଇଁ ଯୋଜନା କରୁଛନ୍ତି କିନ୍ତୁ କଳାକାରଙ୍କ କଥା ଭୁଲିଯାଉଛନ୍ତି | ରାଜ୍ୟରେ ଅନୁମତି ନଥିବାରୁ ବେଙ୍ଗଲ ରେ ଯାତ୍ରା କରିବାକୁ କିଛି ପାର୍ଟି ଯାଇଛନ୍ତି ବୋଲି ଅନ୍ୟ ଜଣେ ଯାତ୍ରା କଳାକାର ମତ ଦେଇଛନ୍ତି |