ଉଦଳା ସବ୍‌ଜେଲ୍‌ରେ ଥିବା ୨୧ ଜଣ ବିଚାରାଧୀନ କଏଦୀ ପଜିଟିଭ ଚିହ୍ନଟ

ମୟୂରଭଞ୍ଜ: ଉଦଳା ସବ୍‌ଜେଲ୍‌ରେ କରୋନା ସଂକ୍ରମଣ | ୨୧ ବିଚାରାଧୀନ କଏଦୀ କରୋନାରେ ଚିହ୍ନଟ |

ସମଗ୍ର ବିଶ୍ୱ ଯେତେବେଳେ କରୋନାରେ ଆକ୍ରାନ୍ତ ସେତେବେଳେ ପ୍ରତି ଜାଗାରେ କରୋନା ତାର କାୟା ବିସ୍ତାର କରି ଚାଲିଛି | ଏପରିକି ଜେଲ ଭିତରେ ମଧ୍ୟ ପଶିଯାଇଛି କରୋନା | ରାଜ୍ୟର ମୟୁରଭଞ୍ଜ ଜିଲ୍ଲା ଉଦଳା ସବ୍‌ଜେଲ୍‌ରେ ଥିବା ୨୧ ଜଣ ବିଚାରାଧୀନ କଏଦୀ ଏବେ କରୋନାରେ ଚିହ୍ନଟ ହୋଇଥିବାର ଜଣାପଡିଛି | ଗତକାଲି ଏହି ସବ୍‌ଜେଲ୍‌ରେ ଥିବା ୭୬ ଜଣ ବିଚାରାଧୀନ କଏଦୀଙ୍କ ଟେଷ୍ଟ୍ କରାଯାଇଥିଲା | ସେମାନଙ୍କ ମଧ୍ୟରୁ ୨୧ ଜଣଙ୍କର ରିପୋର୍ଟ ପଜିଟିଭ୍ ଆସିଛି |

କରୋନା ପଜିଟିଭ ରିପୋର୍ଟ ଆସିବା ପରେ ପୂରା ଜେଲ୍ ପରିସରକୁ ସାନିଟାଇଜ୍ କରାଯାଇଛି | କରୋନାରେ ଆକ୍ରାନ୍ତ ସମସ୍ତ ୨୧ ଜଣ ବିଚାରାଧୀନ କଏଦୀଙ୍କୁ ଆଇସୋଲେସନ୍‌ରେ ରଖାଯାଇଛି | ଏକାସାଥେ ଏତେ ସଂଖ୍ୟକ ପଜିଟିଭ୍ ବାହାରିବା ପରେ ଜେଲ୍‌ କର୍ତ୍ତୃପକ୍ଷ ଟିକେ ସଜାଗ ହୋଇପଡିଛନ୍ତି | ପଜିଟିଭଙ୍କ ମଧ୍ୟରୁ କାହାର ଅବସ୍ଥା ଗୁରୁତର ହୁଏ, ତା’ହେଲେ ତାଙ୍କୁ କୋଭିଡ୍ କେୟାର ସେଣ୍ଟରକୁ ପଠାଇବାକୁ ଜେଲ୍ କର୍ତ୍ତୃପକ୍ଷଙ୍କୁ ପରାମର୍ଶ ଦିଆଯାଇଥିବା ଉଦଳା ଏନ୍‌ଏସିର କାର୍ଯ୍ୟନିର୍ବାହୀ ଅଧିକାରୀ ବିଦ୍ୟାଧର ଦଣ୍ଡପାଟ ସୂଚନା ଦେଇଛନ୍ତି |