Odia

ଆଜିକୁ ୧୨ ବର୍ଷ ପୂରିଲା ମୁମ୍ବାଇ ଆକ୍ରମଣ ଘଟଣା, ମନେପଡେ ସେହି ଛାତିଥରା ଦୃଶ୍ୟ ।

ଭୁବନେଶ୍ୱର: ଭବିଷ୍ୟତରେ ମନେ ରହିବ ଏବଂ ରହିଛି ମୁମ୍ବାଇ ଆତଙ୍କବାଦୀ ଆକ୍ରମଣ ଘଟଣା । ଆଜିବି ସେହି ଦିନ କଥା ମନେ ପଡିଲେ ଛାତି ଥରି ଉଠେ । କେତେ ଭୟଙ୍କର ଥିଲା ସେହି ଆକ୍ରମଣ ।

ଆକ୍ରମଣ ପରେ ସାରା ମୁମ୍ବାଇ ସହର ପୁରା ସ୍ତବ୍ଧ ହୋଇଯାଇଥିଲା । ସମସ୍ତଙ୍କ ମୁହଁରୁ ହସ ଲିଭିଯାଇଥିଲା । ସୂଚନା ଅନୁଯାୟୀ ସେଦିନଥିଲା ୨୦୦୮ ନଭେମ୍ବର ୨୬ ତାରିଖ । ମୁମ୍ବାଇ ଉପରେ ହୋଇଥିଲା ଆତଙ୍କବାଦୀ ଆକ୍ରମଣ। ଏହା ମଧ୍ୟରେ ଘଟଣାକୁ ପୂରିଯାଇଛି ୧୨ ବର୍ଷ।

ଆଜି ସାରା ଦେଶ ୨୬/୧୧ ଆକ୍ରମଣର ୧୨ତମ ବାର୍ଷିକୀରେ ଶହୀଦ ବୀରଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି। ୧୨ ବର୍ଷ ତଳେ ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇର ଏହି ଆତଙ୍କବାଦୀ ଆକ୍ରମଣ ଘଟଣା ଭାରତ ସମେତ ପୂରା ବିଶ୍ୱକୁ ସ୍ତବ୍ଧ କରିଦେଇଥିଲା। ଭାରତ ଇତିହାସର ଏହି କଳାଦିନକୁ ୧୨ ବର୍ଷ ବିତିଯାଇଥିଲେ ମଧ୍ୟ ଆଜି ବି ଏହି ଛାତିଥରା ଘଟଣାକୁ ଭୁଲି ପାରିନି ଦେଶ।

୨୦୦୮ ମସିହା ଆଜିର ଦିନରେ ୧୦ଜଣ ଲସ୍କର-ଏ-ତୈଏବାର ଆତଙ୍କବାଦୀ ସମୁଦ୍ର ପଥରେ ମୁମ୍ବାଇରେ ପ୍ରବେଶ କରିଥିଲେ। ରାତି ପ୍ରାୟ ୮ଟାରେ କୋଲବା ନିକଟ ମାଛ ବଜାରରେ ପହଞ୍ଚିଥିଲେ। ସେଠାରୁ ୪ଟି ଗ୍ରୁପରେ ଭାଗ ହୋଇ ଟ୍ୟାକ୍ସି ସାହାଯ୍ୟରେ ଲକ୍ଷ୍ୟ ସ୍ଥଳରେ ପହଞ୍ଚଥିଲେ। ମୁମ୍ବାଇର ୬ଟି ସ୍ଥାନରେ ଆଖିବୁଜା ଗୁଳିଚାଳନା କରିଥିଲେ। ତାଜ୍‌ ହୋଟେଲ ଠାରୁ ଆରମ୍ଭ କରି ଲିୟୋପ୍ଲୋଡ କାଫେ, ନରିମନ ହାଉସ୍‌ , ଛତ୍ରପତି ଶିବାଜୀ ଟର୍ମିନାଲ ଆଦି ସ୍ଥାନରେ ହୋଇଥିଲା ଆତଙ୍କବାଦୀ ଆକ୍ରମଣ। ତାଜ ହୋଟେଲ ଉପରେ ହୋଇଥିଲା ଅନ୍ଧାଧୂନ ଗୁଳିଚାଳନା।

ଏହି ଘଟଣାରେ ୧୬୬ ଜଣ ସାଧାରଣ ନାଗରିକ ଓ ୧୮ ସୁରକ୍ଷାକର୍ମୀଙ୍କ ମୃତ୍ୟୁ ହୋଇଥିଲା। ୩୦୦ରୁ ଅଧିକ ଜଣ ଆହତ ହୋଇଥିଲା।ତେବେ ଆତଙ୍କବାଦୀଙ୍କୁ କଡା ଟକ୍କର ଦେଇଥିଲେ ଭାରତୀୟ ସିପାହୀମାନେ। ପ୍ରାୟ ୬୦ଘଣ୍ଟା ଧରି ଚାଲିଥିଲା ପୋଲିସ ଓ ଆତଙ୍କବାଦୀ ମଧ୍ୟରେ ସଂଘର୍ଷ। ଏନଏସଜି ଓ ଅନ୍ୟ ସୁରକ୍ଷାକର୍ମୀ ୯ଜଣ ଆତଙ୍କବାଦୀଙ୍କୁ ମାରିବାରେ ସଫଳ ହୋଇଥିଲେ। ଅଜମଲ ଆମିର କସାବ ନାମକ ଆତଙ୍କବାଦୀକୁ ଗିରଫ କରାଯାଇଥିଲା।

ତାକୁ ୨୦୧୨, ୨୧ ନଭେମ୍ବରରେ ଫାଶୀ ଦିଆଯାଇଥିଲା। ସେହିଦିନ ସହିଦ ହୋଇଥିବା ସୁରକ୍ଷାକର୍ମୀ ଓ ପୋଲିସଙ୍କୁ ଶ୍ରଦ୍ଧାଞ୍ଜଳି ଦେବାକୁ ଆଜି ମୁମ୍ବାଇରେ ଏକ କାର୍ଯ୍ୟକ୍ରମର ଆୟୋଜନ କରାଯାଉଛି। ଆଜି ଏହି ଦିନ ଅର୍ଥାତ 26/11 ଆସିଲେ ମନେ ପଡିଥାଏ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣ କଥା । ଆଉ ଏହି ଘଟଣା କଥା ମନେ ପଡିଲେ ସମସ୍ତ ବିଶ୍ୱବାସୀଙ୍କ ମନରେ ଭରିଯାଏ ଭୟ ।

Tags

Related Articles

Back to top button
Close