ବାତ୍ୟା ‘ୟାସ’ ତାଣ୍ଡବ ସମୟରେ ଜନ୍ମ ନେଲେ ୩୫୦ ଶିଶୁ

ଭୁବନେଶ୍ୱର : ସାମୁଦ୍ରିକ ଝଡ ‘ୟାସ’ ର ପ୍ରଭାବରେ ରାଜ୍ୟବାସୀ ଥିଲେ ଚିନ୍ତିତ | ବାତ୍ୟା ଯେତିକି ପାଖେଇ ଆସୁଥାଏ ସେତେ ସେତେ ଭୟ ଲାଗୁଥାଏ ମନରେ | ଶେଷରେ ବାତ୍ୟା ବାଲେଶ୍ୱର ଜିଲ୍ଲା ବାହାନଗା ଅଂଚଳରେ ଲ୍ୟାଣ୍ଡଫଲ କଲା ବେଳେ ଏପଟେ କୁଆଁ କୁଆଁ ଡାକରେ ଧରାବତରଣ କଲେ ଶତାଧିକ ଶିଶୁ |

‘ୟାସ’ ବାତ୍ୟା ସମୟରେ ଅର୍ଥାତ ଗତ ୨୪ ଘଂଟାରେ ୩୫୦ ଜଣ ଶିଶୁ ଜନ୍ମ ନେଇଛନ୍ତି ଓଡ଼ିଶାରେ | ତେବେ ଏହି ବାତ୍ୟା ନାଁ ଅନୁସାରେ ପ୍ରାୟତଃ ପୁଅଙ୍କ ନାମକରଣ ‘ୟଶ୍’ ରଖିବାକୁ ସୂଚନା ମିଳିଛି |

ବାତ୍ୟା ‘ୟାସ’ ତାର କରାଳ ରୂପ ଦେଖାଉଥିବା ବେଳେ କ୍ୟାପିଟାଲ ହସ୍ପିଟାଲରେ ଗୁଞ୍ଜରି ଉଠୁଥିଲା କୁଆଁ କୁଆଁ ସ୍ୱର | ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲରେ ଜନ୍ମ ନେଇଥିଲେ ୧୧ ଜଣ ଶିଶୁ | ତନ୍ମଧ୍ୟରୁ ୮ଜଣ ପୁଅ ଥିବାବେଳେ ୩ ଜଣ ଶିଶୁ କନ୍ୟା ରହିଥିବା ହସ୍ପିଟାଲ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି | ଜନ୍ମ ନେଇଥିବା ୧୧ ଜଣଙ୍କ ମଧ୍ୟରୁ ୧୦ଜଣ ପିଲାଙ୍କ ନାଁ ‘ୟସ୍’ ରଖୁଥିବା ପରିବାର ଲୋକେ ଜଣେଇଛନ୍ତି | ପୁଅ ହେଉ କି ଝିଅ ‘ୟସ୍’ ନାଁଟି ସମସ୍ତଙ୍କୁ ସୁହାଉଛି | ତେଣୁ ଅଧିକାଂଶ ବାପା, ମା’ ଓ ପରିବାରଲୋକେ ବାତ୍ୟାରେ ଜନ୍ମ ହେଉଥିବାରୁ ସ୍ମୃତିକୁ ମାନେ ପକାଇବା ପାଇଁ ‘ୟଶ୍’ ନାମକରଣ କରିଛନ୍ତି |

ମିଳିଥିବା ତଥ୍ୟ ଅନୁସାରେ, ଗତ ୨୪ ଘଣ୍ଟା ମଧ୍ୟରେ ବାତ୍ୟାର ତାଣ୍ଡବ ସମୟରେ ବାଲେଶ୍ୱର ଜିଲ୍ଲାରେ ସର୍ବାଧିକ ୧୬୫ ଜଣ ଶିଶୁ ଜନ୍ମ ନେଇଛନ୍ତି | ସେହିପରି ଭଦ୍ରକ ଜିଲ୍ଲାରେ ୫୯ , ମୟୂରଭଞ୍ଜ ଜିଲ୍ଲାରେ ୬୬ , କେନ୍ଦ୍ରାପଡା ଜିଲ୍ଲାରେ ୪୦, ଜଗତସିଂହପୁର ଜିଲ୍ଲାରେ ୧୩, କେନ୍ଦୁଝର ଜିଲ୍ଲାରେ ୩ ଜଣ ଏବଂ ଢେଙ୍କାନାଳ ଜିଲ୍ଲାରେ ମଧ୍ୟ ୩ ଜଣ ଶିଶୁ ଜନ୍ମ ନେଇଛନ୍ତି |