୪ ଘଂଟାର ଅପରେସନ ପରେ ଉଦ୍ଧାର ହେଲେ ଅପହୃତା ତାପସ

ବାଲେଶ୍ୱର : ସୋରୋ ପୋଲିସକୁ ମିଳିଲା ସଫଳତା | ଉଦ୍ଧାର ହେଲେ ଅପହୃତା ତାପସ ମହାନ୍ତି | ଆଠ ଲକ୍ଷ ଟଙ୍କା ପାଇଁ ଅପହରଣ କରିଥିବା ତାପସକୁ ପଶ୍ଚିମବଙ୍ଗରୁ ଉଦ୍ଧାର କରିଛି ସୋରୋ ପୋଲିସ |

ସ୍ୱାମୀକୁ ଫେରିପାଇବା ପାଇଁ ଅପହୃତାଙ୍କ ଗର୍ଭବତୀ ପତ୍ନୀ ପହଂଚିଥିଲେ ସୋରୋ ଥାନାରେ | ଅପହରଣକାରୀ ଘଟାଇଥିବା ସମସ୍ତ ଘଟଣା ଓ ପଠେଇଥିବା ଭିଡିଓ ଆଇଆଇସି ମଧୁମିତା ମହାନ୍ତିଙ୍କୁ ଦେଖାଇଥିଲେ ତାପସଙ୍କ ପତ୍ନୀ ସୁକାନ୍ତି | ଏହାପରେ ତୁରନ୍ତ ଏଏସଆଇ ପ୍ରତାପ କାଲୋ ଏବଂ ପ୍ରଦୀପ ମହାନ୍ତିଙ୍କୁ ନେଇ ଏକ ପାଞ୍ଚ ଜଣିଆ ଟିମ୍‌ ଗଠନ କରାଯାଇଥିଲା | ଆଉ ତତକ୍ଷଣାତ ତଦନ୍ତର ପ୍ରକ୍ରିୟା ଆରମ୍ଭ କରି ମୋବାଇଲ ଟ୍ରାକିଂରେ ସଫଳ ହେଇଥିଲା ସୋରୋ ପୋଲିସ | କଲିକତାର ଦକ୍ଷିଣ ଚବିଶ ପ୍ରଗଣା ଜିଲ୍ଲାର କୁଳଟାରି ଥାନା ସୁନ୍ଦରବନ ନ୍ୟାସନାଲ ପାର୍କ ନିକଟରେ ଏକ ପରିତ୍ୟକ୍ତ ଘରେ ତାପସ ଥିବା ଜାଣିବାକୁ ପାଇବା ପରେ କୁଲଟାରୀ ଥାନାଧିକାରୀ ଏବଂ ଗ୍ରାମ ମୁଖିଆଙ୍କୁ ନେଇ ସୋର ପୁଲିସ୍‌ ଟିମ୍‌ ସେଠାରେ ପହଞ୍ଚିଥିଲା | ଚାରି ଘଣ୍ଟାର ଅପରେସନ ପରେ ଗୋଟିଏ ପରିତ୍ୟକ୍ତ ଘରୁ ହାତଗୋଡ଼ ବନ୍ଧା ଅବସ୍ଥାରେ ଅପହୃତା ତାପସଙ୍କୁ ଉଦ୍ଧାର କରିଥିଲେ | କିନ୍ତୁ ପୋଲିସ ପହଞ୍ଚିବାବେଳକୁ ଅପହରଣକାରୀ ଫେରାର ହୋଇଯାଇଥିବାର ସୂଚନା ମିଳିଛି |

ସୋର ପୁଲିସର ପାଞ୍ଚଜଣିଆ ଟିମ ତାପସଙ୍କୁ ଧରି ରାତି ଦୁଇଟା ବେଳେ ସୋର ଥାନାରେ ପହଂଚିଛନ୍ତି | ‘ପୁଲିସ୍‌ ସହଯୋଗ ବିନା ତାପସକୁ ଉଦ୍ଧାର କରିବା ଅସମ୍ଭବ ହେଇଥାନ୍ତା’ ବୋଲି ତାପସର ମାମୁ କହିଛନ୍ତି | ସୋରୋ ପୋଲିସର ଏଭଳି କାର୍ଯ୍ୟକୁ ସେ ଅଂଚଳରେ ପ୍ରଶଂସା କରାଯାଉଛି |

ଉଲ୍ଳେଖଯୋଗ୍ୟେ ଯେ, ମାର୍ଚ୍ଚ ୨ ତାରିଖରେ ଅପହରଣକାରୀର ନମ୍ବରରୁ ତାପସର ହାତ ଗୋଡ ବନ୍ଧା ଯାଇଥିବା ଅବସ୍ଥାରେ , ବନ୍ଧୁକ ଓ ଟାଙ୍ଗିଆ ରଖି ହତ୍ୟା ଧମକ ଦେଉଥିବାର ଭିଡିଓ ଘର ମୋବାଇଲକୁ ଆସିଥିଲା | ତାପସର ପରିବାର ଭୟଭୀତ ହେଇ ଅପହରଣକାରୀ ଦେଇଥିବା ଏକ ବ୍ୟାଙ୍କ ଆକାଉଣ୍ଟ ନମ୍ବରରେ ୫୦ ହଜାର ଟଙ୍କା ଜମା ମଧ୍ୟ କରିଦେଇଥିଲେ | ଅଧିକ ତାଙ୍କ ପାଖରେ ନାହିଁ ବୋଲି ଅପହରଣକାରୀଙ୍କୁ କହିବା ପରେ, ଶେଷରେ ୮ ଲକ୍ଷ ବଦଳରେ ୪ ଲକ୍ଷ ଦେବାକୁ ଅପହରଣକାରୀ ଦାବି କରିଥିଲେ | ଅନ୍ୟ କିଛି ଉପାୟ ନ ପାଇ ଭୟଭୀତ ହୋଇ ତାପସଙ୍କ ସ୍ତ୍ରୀ ସୁକାନ୍ତି ସୋର ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ |

ଏନେଇ ସଦର ଥାନା ଆଇଆଇସି ମଧୁମିତା ମହାନ୍ତି ସୂଚନା ଦେଇଛନ୍ତି କି ,କେଉଁ କାରଣରୁ ପଣବନ୍ଦୀ ରଖିଥିଲେ ତାହା ଜଣାପଡ଼ୁନି | ସ୍ଥାନୀୟ ପୁଲିସ୍‌ ସହାୟତାରେ ଗତକାଲି ଦିନ ୧୨ଟା ଭିତରେ ଉଦ୍ଧାର କରାଯାଇ ସୋରକୁ ଅଣାଯାଇଛି | ମେଡିକାଲ ଯାଞ୍ଚ ପରେ ଘଟଣା ସମ୍ପର୍କରେ ପଚରାଯିବ | ଉଦ୍ଧାର ସମୟରେ ସେଠାରେ ଉତ୍ତେଜନାମୂଳକ ପରିସ୍ଥିତି ଦେଖାଯିବାରୁ ଅପହରଣକାରୀମାନେ ଫେରାର ହେଇଯାଇଛନ୍ତି |