ଭୁବନେଶ୍ୱର: ବିଏମ୍ ଚୋପ୍ରାଙ୍କ ‘ମହାଭାରତ’ର ଭୀମ ତଥା ପୂର୍ବତନ ଆଥଲେଟ୍ ପ୍ରବୀଣ କୁମାର ସୋବୀଙ୍କ ଦେହାନ୍ତ ହୋଇଛି। ୭୬ ବର୍ଷ ବୟସରେ ପ୍ରବୀଣ ଦିଲ୍ଲୀରେ ଥିବା ତାଙ୍କ ବାସଭବନରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ।
ମିଳିଥିବା ସୂଚନା ଅନୁଯାୟୀ, ସେ ଦୀର୍ଘ ସମୟ ଧରି ଅସୁସ୍ଥ ଥିଲେ। ପ୍ରବୀଣ ପିଠି ସମସ୍ୟାରେ ପୀଡିତ ଥିଲେ, କିଛି ମାସ ପୂର୍ବରୁ ଏକ ଅପରେସନ୍ କରିଥିଲେ ଏବଂ ଦୀର୍ଘ ସମୟ ଧରି ସେ ଚାଲିବୁଲି ପାରୁନଥିଲେ ।
ପ୍ରବୀଣ ପଞ୍ଜାବର ଟର୍ନ ତାରାନର ମୂଳ ବାସିନ୍ଦା ଥିଲେ। ‘ମହାଭାରତ’ରେ ଭୀମଙ୍କ ଚରିତ୍ରରେ ଅଭିନୟ କରି ସେ ବଲିଉଡରେ ବେଶ ଲୋକପ୍ରିୟତା ହାସଲ କରିପାରିଥିଲେ ।
ପ୍ରବୀଣ ବଲିଉଡରେ ୩୦ ରୁ ଅଧିକ ଚଳଚ୍ଚିତ୍ରରେ କାମ କରିଛନ୍ତି । ଅଭିନୟ ଦୁନିଆରେ ପ୍ରବେଶ କରିବା ପୂର୍ବରୁ ସେ ହାମର ଏବଂ ଡିସ୍କସ୍ ଥ୍ରୋ ଆଥଲେଟ୍ ଥିଲେ ।
ଏଥିସହ ସେ ଏସୀୟ ଗେମ୍ସରେ ଦୁଇଟି ସ୍ୱର୍ଣ୍ଣ ପଦକ, ଗୋଟିଏ ରୋପ୍ୟ ଏବଂ ଗୋଟିଏ ବ୍ରୋଞ୍ଜ ପଦକ ଜିତିଛନ୍ତି। ସେ ଦୁଇଥର ଅଲିମ୍ପିକ୍ସରେ ଭାରତର ପ୍ରତିନିଧିତ୍ୱ କରିଛନ୍ତି। ଅଭିନୟ ପୂର୍ବରୁ ପ୍ରବୀଣ ଜଣେ ବିଏସ୍ଏଫ୍ ଜୱାନ୍ ଥିଲେ ।
ତେବେ ପ୍ରବୀଣ ଦୀର୍ଘ ଦିନ ଧରି ଆର୍ଥିକ ସଙ୍କଟ ଦେଇ ଗତି କରୁଥିଲେ ସହାୟତା ପାଇଁ ସେ ସରକାରଙ୍କୁ ମଧ୍ୟ ନିବେଦନ କରିଥିଲେ।