ଭୁବନେଶ୍ୱର: ଏକ ବିଜ୍ଞାପନ ହେତୁ ବଲିଉଡ ଅଭିନେତା ଅକ୍ଷୟ କୁମାର ବିବାଦ ଘେରକୁ ଆସିଛନ୍ତି। ଅକ୍ଷୟ କୁମାରଙ୍କୁ ଏକ ପାନ ମସାଲାର ବିଜ୍ଞାପନ କରୁଥିବାର ଦେଖି ପ୍ରଶଂସକମାନେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି, ଯାହା ପରେ ଅଭିନେତା ତମାଖୁ ବ୍ରାଣ୍ଡର ବିଜ୍ଞାପନ ପାଇଁ ସୋସିଆଲ ମିଡିଆରେ କ୍ଷମା ମାଗିଛନ୍ତି ।
ଅକ୍ଷୟ କୁମାର ତାଙ୍କ ପୋଷ୍ଟରେ ଲେଖିଛନ୍ତି- ‘ମୁଁ ଦୁଃଖିତ। ମୋର ସମସ୍ତ ପ୍ରଶଂସକମାନଙ୍କୁ ମୁଁ କ୍ଷମା ମାଗିବାକୁ ଚାହେଁ । ଗତ କିଛି ଦିନ ମଧ୍ୟରେ ଆପଣମାନଙ୍କ ପ୍ରତିକ୍ରିୟା ମୋତେ ବହୁତ ପ୍ରଭାବିତ କରିଛି। ତଥାପି, ମୁଁ କେବେ ବି ତମାଖୁକୁ ପ୍ରୋତ୍ସାହନ ଦେବି ନାହିଁ ବୋଲି କହିଛନ୍ତି ।
— Akshay Kumar (@akshaykumar) April 20, 2022
ଅକ୍ଷୟ କୁମାର ଆହୁରି ଲେଖିଛନ୍ତି- ‘ମୁଁ ନିଷ୍ପତ୍ତି ନେଇଛି ଯେ ବିଜ୍ଞାପନରୁ ପ୍ରାପ୍ତ ଶୁଳ୍କକୁ ମୁଁ ଏକ ଉତ୍ତମ କାରଣ ପାଇଁ ବ୍ୟବହାର କରିବି। ମୁଁ ପ୍ରତିଜ୍ଞା କରୁଛି ଯେ ଭବିଷ୍ୟତରେ ମୁଁ ମୋର ନିଷ୍ପତ୍ତି ପ୍ରତି ଯତ୍ନବାନ ହେବି । ଏହାର ପ୍ରତିବଦଳରେ, ମୁଁ ସର୍ବଦା ତୁମର ପ୍ରେମ ଏବଂ ଆଶୀର୍ବାଦ ମାଗିବି।
ସୂଚନାଯୋଗ୍ୟ ଯେ କିଛି ଦିନ ପୂର୍ବେ ଅକ୍ଷୟ କୁମାରଙ୍କ ଏକ ବିଜ୍ଞାପନ ପ୍ରକାଶ ପାଇଥିଲା। ଯେଉଁଥିରେ ତାଙ୍କୁ ଅଜୟ ଦେବଗାନ୍ ଏବଂ ଶାହାରୁଖ ଖାନଙ୍କ ସହ ଏକ ପାନ ମସାଲା ବିଜ୍ଞାପନରେ ଦେଖିବାକୁ ମିଳିଥିଲା । ଯାହା ପରେ ଅଭିନେତାଙ୍କ ପ୍ରଶଂସକମାନେ ଏଥିରେ ଅସନ୍ତୋଷ ବ୍ୟକ୍ତ କରିଥିଲେ । ସୋସିଆଲ ମିଡିଆରେ ପ୍ରଶଂସକମାନେ ସମାଲୋଚନା କରିବା ପରେ ଅଭିନେତା ଏହି ବିଜ୍ଞାପନରୁ ଓହରିଯିବାକୁ ନିଷ୍ପତ୍ତି ନେଇଛନ୍ତି ।