ଅନବସରର ଷଷ୍ଠୀ ତିଥି, ଆଜିଠୁ ତିନିଦିନ ଧରି ମହାପ୍ରଭୁଙ୍କୁ ଓଷୁଅ ଲାଗି

ପୁରୀ : ଆଜିଠୁ ବିଭିନ୍ନ ଔଷଧୀୟ ଉପଚାର ଲାଗି କରାଯିବ ମହାପ୍ରଭୁଙ୍କୁ | ଆଜି ମଧ୍ୟାହ୍ନ ଧୂପ ପରେ ଅଣସର ସୁଦ୍ଧସୁଆର ମାନେ ପ୍ରସ୍ତୁତ କରିଥିବା ଝୁଣା, ତେଲ ଓ ବିଭିନ୍ନ ଚେର ମୂଳିରେ ପ୍ରସ୍ତୁତ ଔଷଧକୁ ଦଇତାପତି ସେବକମାନେ ଶ୍ରୀଜୀଉଙ୍କ ଅଙ୍ଗରେ ଲଗାଇବେ | ଆଜିଠୁ ତିନିଦିନ ଧରି ମହାପ୍ରଭୁଙ୍କୁ ଓଷୁଅ ଲାଗି କରାଯିବ | ଷଷ୍ଠୀଠୁ ନବମୀ ତିଥି ପର୍ଯ୍ୟନ୍ତ ଏହି ଓଷୁଅ ଲାଗି କରାଯିବ | ଫଳରେ ଶ୍ରୀଜୀଉ କିଛି ମାତ୍ରାରେ ଜ୍ୱରରୁ ଉପଶମ ହେବେ | ଦଶମୀ ଦିନ ରାଜବୈଦ୍ୟଙ୍କ ଦ୍ୱାରା ପ୍ରସ୍ତୁତ ଦଶମୂଳ ମୋଦକ ଖାଇବା ପରେ ମହାପ୍ରଭୁ ସମ୍ପୂର୍ଣ୍ଣ ସୁସ୍ଥ ହେବେ ବୋଲି ପୌରାଣିକ ମତ ରହିଛି |

ଉତ୍ତରଦ୍ୱାର ନିକଟ ମା ଶୀତଳାଙ୍କ ସମ୍ମୁଖ ସୁନା କୂଅରୁ ୧୦୮ ଗରା ସୁବାସିତ ଜଳରେ ସ୍ନାନ କରିବା ପରେ ଚତୁଦ୍ଧାବିଗ୍ରହ ଅଣସର ଘରେ ଜ୍ୱରରେ ପୀଡତ | ଶ୍ରୀଜୀଉଙ୍କ ଜ୍ୱର ଉପଶମ ପାଇଁ ଶ୍ରୀମନ୍ଦିରରେ ଗୁପ୍ତ ସେବା ଜାରି ରହିଛି | ଅଣସର ଘରେ ଜ୍ୱରରେ ପୀଡିତ ଶ୍ରୀଜୀଉଙ୍କ ଶ୍ରୀଅଙ୍ଗରେ ଗତକାଲି ପଞ୍ଚମୀ ତିଥିରେ ଓଡିଆ ମଠ ପକ୍ଷରୁ ଯୋଗାଇ ଦିଆଯାଇଥିବା ଫୁଲୁରୀ ତେଲ ଲାଗି ପରେ ସାମାନ୍ୟ ସୁସ୍ଥ ହୋଇଛନ୍ତି ମହାପ୍ରଭୁ | ସାଷ୍ଟାଙ୍ଗ ହୋଇଛନ୍ତି ଜଗତପତି |