ଡାକ୍ତରଙ୍କ ବ୍ୟାଙ୍କ ଆକାଉଣ୍ଟରେ ଯୁବତୀ ବୁଲାଇଲେ କଳାକନା, ଅଭିଯୋଗ ପରେ ଧରାପଡ଼ିଲେ ମିସ 420

ଭୁବନେଶ୍ୱର: ଅନୁଗୋଳ ତାଳଚେର ପୋଲିସ ହାତରେ ଲାଗିଛି ମିସ ୪୨୦ । ନିଜକୁ କେତେ ବେଳେ ଅନୁଗୋଳର ବଡ଼ ହୋଲ ସେଲର ତ ଆଉ କେତେ ବେଳେ ଡ୍ରେସ୍ ଡିଜାଇନର ତ ଆଉ କେତେ ବେଳେ ନିଜକୁ ଫାଇନାନ୍ସ କମ୍ପାନୀର ଏଜେଣ୍ଟ କହି ଲୋକଙ୍କୁ ଠକୁଥିବା କୁଖ୍ୟାତ ଠକ ଦୀପା ଓରଫ ସୁପ୍ରିୟା ସ୍ଵାଇଁଙ୍କୁ ଗିରଫ କରିଛି ତାଳଚେର ପୋଲିସ । ତାଳଚେର ଥାନାରେ ଅଭିଯୋଗ ପରେ ଦୀପା ଓରଫ ସୁପ୍ରିୟା ସ୍ଵାଇଁଙ୍କୁ ଗିରଫ କରି ତାଙ୍କ ଠକେଇ ତାଲିକାର ହିସାବ ବାହାର କରିବାକୁ ତଦନ୍ତ ଚଳାଇଛି ତଦନ୍ତକାରୀ ଟିମ ।

ଦେଖିବାକୁ କୌଣସି ପରିଠୁ କମ ନୁହଁ । ଅପରାଧୀ ଭଳି କୌଣସି ଆଚରଣ ବି ନାହିଁ । ହେଲେ ଏହି ସୁନ୍ଦରୀଙ୍କ ଚେହେରା ପଛରେ ଲୁଚିରହିଛି ଏକ କୁଖ୍ୟାତ ଠକ ଦିମାଗ । ହେଲେ ତାଙ୍କ କାରନାମା ବିଷୟରେ ଜାଣିଲେ ଆପଣଙ୍କ ଅକଲ ବି ଗୁଡୁମ ହୋଇଯିବ । ଯୁବତୀ ଜଣକ ହେଉଛନ୍ତି ଦୀପା ଓରଫ ସୁପ୍ରିୟା ସ୍ଵାଇଁ । ପେଶାରେ DIPS ଶିକ୍ଷାନୁଷ୍ଠାନର କର୍ମଚାରୀ । ହେଲେ ସଉକ ହେଉଛି ଲୋକଙ୍କୁ ଠକିବା । ଆଉ ଠକେଇ ବି କିଛି ଏମିତି ସେମିତି ନୁହଁ ।

ତାଳଚେରର ଜଣେ ଅବସରପ୍ରାପ୍ତ ଡାକ୍ତରଙ୍କୁ ନିଜ ରୂପ ଜାଲରେ ଛନ୍ଦି ଲକ୍ଷାଧିକ ଟଙ୍କା ଠକି ନେଇଛନ୍ତି । ଆଉ ଡାକ୍ତରଙ୍କ ଥାନାରେ ଅଭିଯୋଗ ପରେ ସୁନ୍ଦରୀ ଯୁବତୀ ଜଣଙ୍କୁ ଏବେ ଜେଲ ଯିବାକୁ ପଡିଛି । ସୂଚନା ଅନୁସାରେ ତାଳଚେର ବାଘୁଆବୋଲ ଶିବ ମନ୍ଦିର ନିକଟରେ ଅବସରପ୍ରାପ୍ତ ଡାକ୍ତର ବିଜୟ କୁମାର ପ୍ରଧାନ ଘର । ଗତ କିଛିଦିନ ତଳେ କୋଳିୟରି ଥାନା ଅନ୍ତର୍ଗତ ମଝିକା ଗାଁର ଦୀପା ଓରଫ ସୁପ୍ରିୟା ସ୍ଵାଇଁ ନାମକ ଜଣେ ୨୮ ବର୍ଷୀୟ ସୁନ୍ଦରୀ ତରୁଣୀ ନିଜକୁ ଫାଇନାନ୍ସ କମ୍ପାନୀର ଏଜେଣ୍ଟ ପରିଚୟ ଦେଇ ଡାକ୍ତରଙ୍କ ସହ ବ୍ୟବସାୟୀକ ସମ୍ପର୍କ ଯୋଡିଥିଲା ।

ନିଜର ସୁନ୍ଦରତା ଓ ବାକଶକ୍ତି ବଳରେ ଯୁବତୀ ଜଣଙ୍କ ଡାକ୍ତରଙ୍କ ବିଶ୍ଵାସଭାଜନ ହେବା ସହ ଚତୁରତାର ସହ ଡାକ୍ତରଙ୍କ ଏଟିଏମ କାର୍ଡ ଓ ପିନ ନମ୍ବର ନେଇ ଆସିଥିଲେ ଏବଂ ପରେ ଡାକ୍ତରଙ୍କ ଷ୍ଟେଟ ବ୍ୟାଙ୍କ ଆକାଉଣ୍ଟରୁ ବିଭିନ୍ନ କିସ୍ତିରେ ସମୁଦାୟ ୪ ଲକ୍ଷ ୫୭ ହଜାର ୩୮୫ ଟଙ୍କା ଉଠାଇଥିଲେ । ଡାକ୍ତର ବାବୁ ଆକାଉଣ୍ଟରୁ ଏତେ ଟଙ୍କା ଉଠିବା ଜାଣିବା ପରେ ଏ ନେଇ ତାଳଚେର ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗକୁ ଭିତ୍ତି କରି ତାଳଚେର ପୋଲିସ ଘଟଣାର ତଦନ୍ତ କରିବା ସହ ଠକେଇ ଅଭିଯୋଗରେ ସୁପ୍ରିୟାକୁ ୪୨୦ ଦଫାରେ ଗିରଫ କରି କୋର୍ଟ ଚାଲାଣ କରିଛି ।