ଭୁବନେଶ୍ୱର: ବାଲେଶ୍ୱର ନିଳଗିରୀରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ହୋମ୍ଗାର୍ଡଙ୍କୁ ମାରପିଟ କରିଥିବା ଅଭିଯୋଗରେ ଜଣେ ସାମ୍ବାଦିକଙ୍କୁ ପୋଲିସ ଗିରଫ କରିବା ଓ ତାଙ୍କ ଗୋଡ଼ରେ ହାତକଡ଼ି ପକେଇବା ଖବର ସାମ୍ନାକୁ ଆସିଛି। ଯାହାକୁ ନେଇ ସାମ୍ବାଦିକ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।
ମିଳିଥିବା ସୂଚନା ଅନୁଯାୟୀ, ବାଲେଶ୍ବର ଜିଲ୍ଲା ନିଳଗିରୀ ବ୍ଲକର ସାମ୍ବାଦିକ ଲୋକନାଥ ଦଳେଇ ରାତିରେ ଘରକୁ ଫେରୁଥିବା ସମୟରେ ନିଳଗିରୀ ଥାନାର ଜଣେ ହୋମ୍ଗାର୍ଡ ତାଙ୍କ ଗାଡିକୁ ଧକ୍କା ଦେଇଥିଲେ। ଯାହାକୁ ନେଇ ଘଟଣା ସ୍ଥଳରେ ଉଭୟଙ୍କ ମଧ୍ୟରେ କଥା କଟା କଟି ହୋଇଥିଲା । ସ୍ଥାନୀୟ ବାସିନ୍ଦା ମାନେ ଉଭୟକୁ ବୁଝା ସୁଝା କରି ସମାଧାନ କରିଥିଲା ବେଳେ ବୁଧବାର ସକାଳେ ହଠାତ ପୋଲିସ୍ ଲୋକନାଥ ଦଳାଇଙ୍କୁ ଗିରଫ କରିଥିଲା। ଅସୁସ୍ଥ ଅନୁଭବ କରିବାକୁ ପୋଲିସ୍ ତାଙ୍କୁ ଗତକାଲି ରାତିରେ ବାଲେଶ୍ୱର ଜିଲ୍ଲା ଚିକିତ୍ସାଳୟରେ ଭର୍ତ୍ତି କରିଥିଲା। କିନ୍ତୁ ମିଡ଼ିକାଲରେ ତାଙ୍କୁ ଜଗିଥିବା ପୋଲିସ୍ କର୍ମଚାରୀମାନେ ତାଙ୍କ ଗୋଡ଼ରେ ହ୍ୟାଣ୍ଡକଫ ପକାଇ ଦେଇଥିଲେ। ଏହି ଘଟଣାକୁ ନେଇ ସାମ୍ବାଦିକ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିବା ବେଳେ ଘଟଣା ସଂପର୍କରେ ପୂରା ତଥ୍ୟ ସଂଗ୍ରହ କରିବା ପରେ ପ୍ରତିକ୍ରିୟା ଦେବେ ବୋଲି କହିଛନ୍ତି ବାଲେଶ୍ୱର ଏସ୍ପି।