ଭୁବନେଶ୍ୱର: ଯଦି ଆପଣ ବ୍ୟବହାର କରୁଥିବା ଡିଜେଲ ଆଉ ପେଟ୍ରୋଲ ବାହାନ ୧୦ ବର୍ଷରୁ ଅଧିକ ତେବେ ଆଗାମୀ ଦିନରେ ଆପଣଙ୍କ ପାଇଁ ସମସ୍ୟା ହୋଇପାରେ । ୧୦ ବର୍ଷରୁ ଅଧିକ ଡିଜେଲ ଏବଂ ୧୫ ବର୍ଷରୁ ଅଧିକ ପେଟ୍ରୋଲ ବାହାନ ଉପରେ ନିଷେଧାଦେଶ ଲାଗୁ କରିବା ନେଇ ନିଷ୍ପତ୍ତି ନେଇଛନ୍ତି ହରିୟାଣା ସରକାର । ଯାହାକି ୧ ଏପ୍ରିଲ ୨୦୨୨ ରୁ ଏହା କାର୍ଯ୍ୟକାରୀ ହେବ ।
ହରିୟାଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର କହିଛନ୍ତି ଯେ ଜାତୀୟ ଗ୍ରୀନ ଟ୍ରିବ୍ୟୁନାଲର ନିଷ୍ପତ୍ତି ଅନୁଯାୟୀ ୧୦ ବର୍ଷରୁ ଅଧିକ ଡିଜେଲ ଏବଂ ୧୫ ବର୍ଷରୁ ଅଧିକ ପେଟ୍ରୋଲ ବାହାନ ଉପରେ ନିଷେଧାଦେଶ ଲାଗୁ ହେବ। ସେ କହିଛନ୍ତି ଯେ ପ୍ରଥମ ପର୍ଯ୍ୟାୟରେ ଏହି ସବୁ ପୁରୁଣା ଯାନ ଗୁଡିକୁ ଗୁରୁଗାଓଁର ରାସ୍ତାରୁ ହଟାଯିବ। ଏହି ବର୍ଗରେ ପଡୁଥିବା ଅଟୋ ଡ୍ରାଇଭରମାନଙ୍କୁ ମଧ୍ୟ ସେମାନଙ୍କର ଅଟୋ ବଦଳାଇବା ପାଇଁ ପର୍ଯ୍ୟାପ୍ତ ସମୟ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
ସେମାନଙ୍କ ସୁବିଧା ପାଇଁ ଆସନ୍ତା ମାର୍ଚ୍ଚ ୧୦ ରେ ଏକ ଶିବିର ଆୟୋଜନ କରାଯିବ ଯେଉଁଥିରେ ଅଟୋ ଡ୍ରାଇଭରମାନେ ସେମାନଙ୍କର ପୁରୁଣା ଅଟୋ ବଦଳରେ ଏକ ନୂତନ ଇ-ଅଟୋ ପାଇଁ ଆବେଦନ କରିପାରିବେ । ଗୁରୁଗ୍ରାମରେ ବାୟୁ ପ୍ରଦୂଷଣର ମାତ୍ରା ହ୍ରାସ କରିବାକୁ ଏନଜିଟିର ନିର୍ଦ୍ଦେଶକୁ କାର୍ଯ୍ୟକାରୀ କରିବା ରାଜ୍ୟ ସରକାରଙ୍କ ପ୍ରାଥମିକତା ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।