ଦୃଢ ଇଚ୍ଛାଶକ୍ତି ଆଗରେ ହାର ମାନିଲା ବୟସ, ୫୭ ବର୍ଷ ବୟସରେ ମେଟ୍ରିକ୍ ପାସ୍ କଲେ ଭଦ୍ରକର ସ୍ଵର୍ଣ୍ଣଲତା

ଭୁବନେଶ୍ୱର : ଦୃଢ ଇଛାଶକ୍ତି ଆଗରେ ହାର ମାନିଲା ବୟସ । ୫୭ ବର୍ଷ ବୟସରେ ମେଟ୍ରିକ୍ ପାସ୍ କଲେ ସ୍ଵର୍ଣ୍ଣଲତା । ଭଦ୍ରକ ଜିଲ୍ଲା ଭଣ୍ଡରୀପୋଖରୀ ବ୍ଲକ୍ କୁରିଗାଁ ପଂଚାୟତ କଣ୍ଟି ଗ୍ରାମର ସ୍ଵର୍ଣ୍ଣଲତା ପତି । ବୟସ ୫୭ ବର୍ଷ, ଦୁଇ ପୁଅ – ଝିଅଙ୍କୁ ନେଇ ତାଙ୍କର ସଂସାର । ସ୍ଵର୍ଣ୍ଣଲତା  ସପ୍ତମ ଶ୍ରେଣୀ ପାସ୍ କରି ମାସିକ ଶହେ ଟଙ୍କା ଦରମାରେ ଗାଁ ସ୍କୁଲରେ ପ୍ରଥମେ ପାଚିକା ଭାବେ କାମ କରୁଥିଲେ । ପରେ ୨୦୦୫ରେ ନିଜ ଗ୍ରାମରେ ଆଶା ଦିଦି ଭାବେ ଚାକିରୀ ଖଣ୍ଡେ ପାଇଥିଲେ । ନିଜେ ସିନା ସପ୍ତମ ଶ୍ରେଣୀ ପାସ୍ କରିଥିଲେ ହେଲେ ପିଲା ମାନଙ୍କୁ କିନ୍ତୁ ପାଠ ପଢ଼ାଇ ଉଚ୍ଚଶିକ୍ଷିତ କରିବା ସହ ରୋଜଗାର କ୍ଷମ  କରାଇଛନ୍ତି ସ୍ଵର୍ଣ୍ଣଲତା।

୨୭ ବର୍ଷ ବୟସରେ ସ୍ୱାମୀଙ୍କୁ ହରାଇ ଦୁଃଖରେ ଭାଙ୍ଗି ପଡ଼ିଥିବା ସ୍ଵର୍ଣ୍ଣଲତା ଶେଷରେ ପିଲାଙ୍କୁ ମଣିଷ କରିବା ପାଇଁ ଘରୁ ଗୋଡ କାଢିଥିଲେ । ଭଲ କାମ କରି ଦୁଇ ଦୁଇଥର ଜିଲ୍ଲା ସ୍ତରୀୟ ଆଶା ଦିଦି ଭାବେ ପୁରସ୍କୃତ ମଧ୍ୟ ହୋଇଛନ୍ତି । ହେଲେ ରାଜ୍ୟ ସରକାରଙ୍କ ନୂଆ ନିର୍ଦ୍ଦେଶ ଅନୁଯାୟୀ ଯେଉଁମାନେ ମେଟ୍ରିକ୍ ପାସ୍ କରିନଥିବେ ସେମାନେ ଏହି ଚାକିରୀ ହରାଇବେ । ଏହା ଶୁଣିବା ପରେ ସ୍ଵର୍ଣ୍ଣଲତା ବହୁତ ଭାଙ୍ଗି ପଡ଼ିଥିଲେ ଆଉ ଚାକିରି ଛାଡ଼ିବାକୁ ନିଷ୍ପତ୍ତି ନେଇଥିଲେ କିନ୍ତୁ ତାଙ୍କ ପିଲାମାନେ ତାହା ଚାହୁଁନଥିଲେ ।

ତାଙ୍କ ପୁଅ ଝିଅ ତାଙ୍କୁ ପଢିବାକୁ ପ୍ରେରଣା ଦେଇଥିଲେ । ପରେ ସେ ୨୦୨୦ ମସିହାରେ ମେଟ୍ରିକ ପରୀକ୍ଷା ଦେଇଥିଲେ କିନ୍ତୁ ଇଂରାଜୀ ପେପର୍ ରେ ଫେଲ୍ ହେଇଯାଇଥିଲେ । ଏହା ପରେବି ସେ ନିରାଶ ନହୋଇ ଆଗକୁ ମାଡି ଚାଲିଥିଲେ । ବହୁତ କଷ୍ଟରେ ପାଠ ପଢା ଜାରି ରଖିଥିଲେ । ଶେଷରେ ଭଦ୍ରକ ବାଗୁରାଇ ସ୍କୁଲ୍ ରେ ଚଳିତ ବର୍ଷ ମେଟ୍ରିକ ପରୀକ୍ଷା ଦେଇଥିଲେ ଏବଂ ସଫଳ ହୋଇଥିଲେ । ମେଟ୍ରିକ ପରୀକ୍ଷା ଫଳରେ ସେ ପାସ୍ କରିଥିବା ଜାଣି ଖୁସିରେ ଆତ୍ମହରା ହୋଇପଡିଥିଲେ । ପରିଣତି ବୟସରେ ସ୍ଵର୍ଣ୍ଣଲତାଙ୍କର ଏଭଳି ଉଦ୍ୟମକୁ ସଭିଏଁ ପ୍ରଶଂସା କରୁଛନ୍ତି ।