ଭୁବନେଶ୍ବର ଧଉଳିରୁ ସ୍ବିଗି ଡେଲିଭରି ବୟ ଅପହରଣ ଘଟଣା, ମଧ୍ୟପ୍ରଦେଶରୁ ଜଣେ ଯୁବତୀଙ୍କ ସହ ଠାବ ହେଲେ ଅପହୃତ ପତିତପାବନ

ଭୁବନେଶ୍ୱର: ଅପହରଣ ନୁହେଁ ବରଂ ପ୍ରେମ ପାଇଁ ଅପହରଣର ନାଟକ ରଚିଥିଲେ ଡେଲିଭରି ବୟ ପତିତପାବନ ପୃଷ୍ଟି ଓରଫ ଚିକୁନ । ବିବାହିତ ଥାଇ ମଧ୍ୟ ଅନ୍ୟ ଜଣେ ଯୁବତୀଙ୍କ ସହ ଥିଲା ଚିକୁନଙ୍କ ସମ୍ପର୍କ । ପତ୍ନୀଙ୍କୁ ଛାଡ଼ି ପ୍ରେମିକା ସହ ଜୀବନ ବିତାଇବା ପାଇଁ ଅପହରଣ ଭଳି ଏକ ଷଡଯନ୍ତ୍ର ରଚିଥିବା ଘଟଣା ଏବେ ସାମ୍ନାକୁ ଆସିଛି । ଭାବିଥିଲେ କେହି ଜାଣିପାରିବେନି ବୋଲି ହେଲେ ତାଙ୍କର ସ୍ବପ୍ନ ଅଧାରେ ରହିଗଲା। ମଧ୍ୟପ୍ରଦେଶରୁ ଅପହୃତ ଡେଲିଭରି ବୟ ପତିତପାବନ ଜଣେ ଯୁବତୀଙ୍କ ସହ ଠାବ ହୋଇଛନ୍ତି ।

ମଧ୍ୟପ୍ରଦେଶରୁ ଠାବ ହେଲେ ଧଉଳି ଦୟା ନଦୀ ନିକଟରୁ ଅପହରଣ ହୋଇଥିବା ଡେଲିଭରି ବଏ ଚିକୁନ । ସେ ଫୁଣି ଜଣେ ଯୁବତୀଙ୍କ ସହ । ସେଠାକାର ପୁଲିସ୍‌ ଉଭୟଙ୍କୁ ଅଟକ ରଖିଥିବା ବେଳେ ଓଡ଼ିଶାରୁ ଏକ ପୁଲିସ୍‌ ଟିମ୍‌ ସେମାନଙ୍କୁ ଆଣିବା ପାଇଁ ମଧ୍ୟପ୍ରଦେଶ ଯିବ। ସେପଟେ ପଚରାଉଚରା ପରେ ପୁରା ଘଟଣାର ପର୍ଦ୍ଦାଫାଶ ହେବ ବୋଲି କହିଛନ୍ତି ଭୁବନେଶ୍ବର ଡିସିପି ଉମାଶଙ୍କର ଦାସ ।