ଭୁବନେଶ୍ୱର : ବାତ୍ୟା ‘ୟାସ’ ପାଇଁ ପ୍ରାକ ପ୍ରସ୍ତୁତ ଥିଲେ ରାଜ୍ୟସରକାର | ଆଜି ସକାଳ ୯ଟାରୁ ଆରମ୍ଭ ହୋଇଥିଲା ଲ୍ୟାଣ୍ଡଫଲ୍ | ବାଲେଶ୍ୱର ଜିଲ୍ଲା ରେମୁଣା – ବାହାନଗା ମଧ୍ୟରେ ଲ୍ୟାଣ୍ଡଫଲ କରିଥିଲା | ଦୀର୍ଘ ୪ ଘଂଟାର ତାଣ୍ଡବ ପରେ ମୟୁରଭଞ୍ଜ ଦେଇ ଝାଡଖଣ୍ଡ ମୁହାଁ ହୋଇଛି ବାତ୍ୟା ୟାସ୍ | ଶିମିଳିପାଳ ଦେଇ ବାତ୍ୟା ଅତିକ୍ରମ କରୁଥିବାରୁ ଏବେ ସମସ୍ତଙ୍କ ନଜର ରହିଛି ତା’ ଉପରେ | ବଡ ବିପଦର ଆଶଂକାକୁ ଟଳିଯାଇଛି | ବେଶି କ୍ଷୟକ୍ଷତି ଘଟାଇନାହିଁ ବାତ୍ୟା ‘ୟାସ’ |
ମିଳିଥିବା ସୂଚନା ଅନୁଯାୟୀ, ଶିମିଳିପାଳରେ ପ୍ରବଳ ବର୍ଷା କାରଣରୁ ବୁଢ଼ାବଳଙ୍ଗ ନଦୀରେ ବନ୍ୟା ଆସିବାର ଆଶଙ୍କା ବଢିଛି | ଏଥିପାଇଁ ମୟୂରଭଞ୍ଜ ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ବୁଢ଼ାବଳଙ୍ଗ ନଦୀ ତଳିଆ ଅଂଚଳରୁ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି | ନୀଳଗିରି ଓ ମୟୂରଭଞ୍ଜ ଅଂଚଳ ଆଗାମୀ କେଇ ଘଣ୍ଟା ପାଇଁ ବିପଦସଂକୁଳ ଅବସ୍ଥାରେ ଅଛି | ଏହି ଅଂଚଳରେ ଘଂଟା ପ୍ରତି ପବନ ୧୩୦ ରୁ ୧୪୫ କିଲୋମିଟର ବେଗରେ ବହିବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଦିଆଯାଇଛି |