ଭୁବନେଶ୍ୱର: ବେଳେବେଳେ ଆମ ସମାଜରେ ଏପରି କିଛି ଘଟଣା ଘଟିଥାଏ ଯାହାକୁ ଦେଖିଲା ପରେ ମନେହୁଏ ସତେ ଯେମିତି ମଣିଷ ମନରୁ ମାନବିକତା ମରିଯାଇଛି। ଟଙ୍କା ଆଜି ମଣିଷକୁ ଅନ୍ଧ କରିଦେଇଛି । ତେବେ ବିହାର ସାମସ୍ତିପୁର ର ଏଭଳି ଏକ ମାମଲା ସାମ୍ନାକୁ ଆସିଛି ଯାହାକି ଆପଣଙ୍କୁ ବିଚଳିତ କରିପାରେ । ହସ୍ପିଟାଲର ଜଣେ କର୍ମଚାରୀ, ଯିଏ ମୃତ ପୁଅର ଶବକୁ ପିତାମାତାଙ୍କୁ ହସ୍ତାନ୍ତର କରିବା ବଦଳରେ ୫୦ ହଜାର ଟଙ୍କା ମାଗିଥିଲେ।
ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଥିବା ଏକ ଖବର ଅନୁଯାୟୀ, ମହେଶ ଠାକୁରଙ୍କ ପୁଅ ମେ ୨୫ ରୁ ନିଖୋଜ ଥିଲେ। ଜୁନ୍ ୭ ଏକ ମୃତଦେହ ମିଳିଥିବା ଜାଣି ବାପା ମହେଶ ସଦର ହସ୍ପିଟାଲରେ ପହଞ୍ଚିଥିଲେ, ସେତେବେଳେ ପୋଷ୍ଟମର୍ଟମ କର୍ମଚାରୀମାନେ ତାଙ୍କୁ ମୃତଦେହ ଦେଖାଇବାକୁ ମନା କରିଦେଇଥିଲେ।
ଅନେକ କାକୁତିମିନତି ହେବା ପରେ ଶେଷରେ ମୃତ ଶରୀରକୁ ଦେଖାଇଲେ ହସ୍ପିଟାଲର କର୍ମଚାରୀ। ଆଉ ମୃତଦେହଟି ତାଙ୍କର ନିଖୋଜ ହୋଇଥିବା ପୁଅର ବୋଲି ଚିହ୍ନଟ କରିଥିଲେ ବାପା-ମା । ଆଶ୍ଚର୍ଯ୍ୟର କଥା, ଡାକ୍ତରଖାନା କର୍ମଚାରୀ ମୃତଦେହକୁ ଦେବା ପରିବର୍ତ୍ତେ ତାଙ୍କୁ ଓଲଟି ୫୦ ହଜାର ଟଙ୍କା ମାଗିଥିଲେ।
ଅସହାୟ ବାପା-ମା ମୃତ ଦେହକୁ ଦେବାକୁ ନିବେଦନ କରିଥିଲେ ମଧ୍ୟ ସେ ରାଜି ହୋଇନଥିଲେ। ଶେଷରେ ଅସହାୟ ପିତାମାତା ଟଙ୍କା ପାଇଁ ଗାଁ ଗାଁ ବୁଲି ଭିକ ମାଗିବାକୁ ବାଧ୍ୟ ହୋଇଥିଲେ। ଯେତେବେଳେ ଭିକ ମାଗିବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଲା, ସେତେବେଳେ ଡାକ୍ତରଖାନା କତ୍ତୃପକ୍ଷ ମୃତ ପୁଅର ଶବକୁ ପୋଷ୍ଟମର୍ଟମ କରି ଘରକୁ ପଠାଇଦେଇଥିଲେ ।