ସଟର ଟେକି କରୁଥିଲେ ଖୁଲମ ଖୁଲା ବେପାର, ପହଞ୍ଚିଥିଲା ପୋଲିସ ଆଉ ତା’ପରେ..

ଭୁବନେଶ୍ୱର : ଝାରପଡା ଛକରେ ଥିବା ‘ସଗୁନ ଲୁଗା ଦୋକାନ’ରେ ପୋଲିସର ଚଢାଉ | ଫାଇନ କାଟିଲେ ୫ ହଜାର, ଦୋକାନ ମାଲିକଙ୍କ ସହ ଗ୍ରାହକ ଅଟକ | ଲକଡାଉନରେ ସଟର ଟେକି ବିକୁଥିଲେ ଲୁଗା |

ମିଳିଥିବା ସୂଚନା ମୁତାବିକ, ଆଜି ଭୁବନେଶ୍ୱର ଝାରପଡା ଛକରେ ଥିବା ସଗୁନ ଲୁଗା ଦୋକାନର ମାଲିକ ଓ କର୍ମକର୍ତ୍ତା ସଟର ଖୋଲି ଲୁଗା ବିକ୍ରି କରୁଥିଲେ | ଅଚାନକ ପୋଲିସ ଓ ବିଏମ୍ସି କର୍ତୃପକ୍ଷ ପହଂଚି ଚଢାଉ କରିଥିଲେ | ଲକଡାଉନରେ ନିୟମ ଉଲ୍ଲଘଂନ ଅଭିଯୋଗରେ ଦୋକାନୀଙ୍କ ଠାରୁ ୫ ହଜାର ଫାଇନ କାଟିବା ସହ ଗ୍ରାହକ , ଦୋକାନୀ କର୍ମଚାରୀ ଅଟକ ରହିଥିଲେ | ଖାଲି ଝାରପଡା ଅଂଚଳ ନୁହେଁ ବିଭିନ୍ନ ସ୍ଥାନରେ ଏଭଳି ଘଟଣା ଦେଖିବାକୁ ମିଳିଛି | ପଟିଆ ସ୍ଥିତ ‘ଦ ନନ୍ ଭେଜ ୱାର୍ଲ୍ଡ’ ଦୋକାନ ଉଭୟ ଅନ ଲାଇନ୍ ଓ ଅଫଲାଇନରେ ବିକ୍ରି କରୁଥିଲା | ସେଠାରେ ମଧ୍ୟ କୋଭିଡ ନିୟମ ଉଲ୍ଲଘଂନ କାରଣରୁ ବିଏମସି କର୍ତୃପକ୍ଷ ବରିଷ୍ଠ ପୋଲିସ ଅଧିକାରୀ ଉପସ୍ଥିତିରେ ସିଲ କରିବାସହ ୩ଜଣ କର୍ମଚାରୀଙ୍କୁ ଗିରଫ କରିଛି ପୋଲିସ | ଅନିର୍ଦ୍ଧିଷ୍ଠ କାଳ ପାଇଁ ବିଏମସି ଦୋକନଟିକୁ ସିଲ କରିଛି ବୋଲି ସୂଚନା ମିଳିଛି | ରାଜଧାନୀରେ କରୋନା ସଂକ୍ରମଣ ଅଧିକା ରହୁଥିବା ବେଳେ ଏହାକୁ ରୋକ ଲଗାଇବା ପାଇଁ ସରକାର ଏଭଳି କଟକଣା ଜାରୀ କରିଛନ୍ତି | କିଛି ଅମାନିଆ କଟକଣାକୁ ନମାନି ଦୋକାନ ଖୋଲୁଥିବାରୁ ପୋଲିସ ଚଢାଉ କରି ଏଭଳି ପଦକ୍ଷେପ ନେବା ପାଇଁ ବାଧ୍ୟ ହେଉଛି |

ଗତକାଲି କମିସନରେଟ ପୋଲିସ ଏକ ନିର୍ଦ୍ଦେଶନାମା ଜାରୀ କରିବା ପରେ ଏଭଳି ଦବଙ୍ଗ ମୋଡ଼ରେ ପୋଲିସ ଓ ବିଏମସି କର୍ତୃପକ୍ଷ | ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ଏକ ଭିଡିଓ ଜାରୀ କରି କଟକଣା ସମ୍ପର୍କରେ ସୂଚେଇ ଦେଇଥିଲେ | ସେ କହିଥିଲେ କି, ”ଆଗାମୀ ରଜ ପାଇଁ ପୋଲିସର କଟକଣା ବଢିଛି | ଟୁଇନ ସିଟି ଅର୍ଥାତ କଟକ-ଭୁବନେଶ୍ୱରରେ ଆଜିଠୁ ପୋଲିସ ସ୍ପେଶାଲ ଡ୍ରାଇଭ ଆରମ୍ଭ କରିବ | ଲୁଚାଛପା ଭାବେ କେହି ଦୋକାନୀ ଲୁଗାପଟା ବିକ୍ରି କଲେ, କୋଭିଡ ନିୟମ ଉଲ୍ଲଘଂନ ପାଇଁ ସମ୍ପୃକ୍ତ ଦୋକାନ ସିଲ୍‌ କରାଯିବ | ଆବଶ୍ୟକ ପଡ଼ିଲେ ଗିରଫ ହେଇପାରନ୍ତି ସମ୍ପୃକ୍ତ ମାଲିକ ଓ କର୍ମଚାରୀ ” ବୋଲି ଦୋକାନୀମାନଙ୍କୁ ଚରମବାଣୀ ଶୁଣାଇଛନ୍ତି ପୋଲିସ କମିଶନର |

କୋଭିଡ କଟକଣାକୁ ଉଲଂଘନ କରି ଲୋକେ ସାବିତ୍ରୀରେ କିଣାକିଣି ପାଇଁ ହାଟ-ବଜାରରେ ଭିଡ ଜମାଇଥିଲେ | ତେବେ ରଜ ପାଇଁ ଲୋକ ଯେମିତି କୋଭିଡ୍ ନିୟମକୁ ଉଲଂଘନ ନକରନ୍ତି, ସେଥିପାଇଁ ସହରବାସୀଙ୍କୁ କମିଶନରେଟ ପୋଲିସ ଆଗୁଆ ସତର୍କ କରିଛି | କୋଭିଡ ନିୟମ ପାଳନ କରି ରଜ ପାଳନ କରିବାକୁ କଟକ-ଭୁବନେଶ୍ୱରବାସୀଙ୍କୁ ନିବେଦନ କରିଛନ୍ତି ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ |