ଭୁବନେଶ୍ୱର: ରେଫ୍ରିଜରେଟର ବଞ୍ଚେଇଦେଲା ଜଣେ ୧୧ ବର୍ଷ ନାବାଳକର ଜୀବନ । ଫିଲିପାଇନ୍ସର ଜଣେ ନାବାଳକ ଦିନସାରା ରେଫ୍ରିଜରେଟରରେ ରହିଯିବାରୁ ଭୂସ୍ଖଳନରୁ ବଞ୍ଚି ଯାଇଥିଲା। ନ୍ୟୁୟର୍କ ପୋଷ୍ଟରେ ପ୍ରକାଶ ପାଇଥିବା ରିପୋର୍ଟ ଅନୁଯାୟୀ, ସିଜେ ଜାସ୍ମେ (CJ Jasme) ନାମକ ଜଣେ ବାଳକ ତାଙ୍କ ପରିବାର ସହିତ ଘରେ ଥିଲେ। ଏହି ସମୟରେ ଫିଲିପାଇନ୍ସର ବାଇବେ ସହରରେ ଥିବା ତାଙ୍କ ଘରେ ଏକ ବଡ଼ ଧରଣର ଭୂସ୍ଖଳନ ହୋଇଥିଲା।
ଭୂସ୍ଖଳନ ହେତୁ କାଦୁଅ ତାଙ୍କ ଘର ଆଡକୁ ଆସିବା ମାତ୍ରେ ୧୧ ବର୍ଷର ଜାସ୍ମେ ଫ୍ରିଜ ଭିତରେ ପଶିଯାଇଥିଲା । ସେ ଫ୍ରିଜ୍ ଭିତରେ ପ୍ରାୟ ୨୦ ଘଣ୍ଟା ରହିଲେ । ଯେତେବେଳେ ଝଡ ବନ୍ଦ ହୋଇଗଲା, ଉଦ୍ଧାରକାରୀ ଦଳ ଏକ ନଦୀ କୂଳରେ ଏକ ରେଫ୍ରିଜରେଟର ପାଇଥିଲେ । ତା’ପରେ ସେହି ଫ୍ରିଜରୁ ଉଦ୍ଧାରକାରୀ ଦଳ ଜାସ୍ମେଙ୍କୁ ବାହାର କରିଥିଲେ । ସେଠାରେ ତାଙ୍କୁ ପ୍ରାଥମିକ ଚିକିତ୍ସା ଦିଆଯାଇଥିଲା ଏବଂ ଡାକ୍ତରଖାନା ନିଆଯାଇଥିଲା । ହେଲେ ଏହି ଦୁର୍ଘଟଣାରେ ଜାସ୍ମେଙ୍କ ଗୋଡ ଭାଙ୍ଗି ଯାଇଥିଲା।
ତେବେ ଜାସ୍ମେଙ୍କ ପରିବାର ଭାଗ୍ୟବାନ ନଥିଲେ। ତାଙ୍କ ମାଆ ଏବଂ ସାନଭାଇ ନିଖୋଜ ଥିବାବେଳେ ତାଙ୍କ ପିତା ଭୂସ୍ଖଳନରେ ପ୍ରାଣ ହରାଇଥିବା ଜଣାପଡିଛି।