‘ୟାସ’ ପ୍ରଭାବିତ ୮ ଟି ଜିଲ୍ଲାରେ ରାସ୍ତା ଅବରୋଧ ହଟିଲା

ଭୁବନେଶ୍ୱର : ବାତ୍ୟା ‘ୟାସ’ର ତାଣ୍ଡବରେ ପ୍ରଭାବିତ ୮ ଜିଲ୍ଲା | ବାଲେଶ୍ୱର , ଭଦ୍ରକ , ମୟୁରଭଞ୍ଜ, କେଉଁଝର, କେନ୍ଦ୍ରାପଡା, ଯାଜପୁର, କଟକ ଓ ଜଗସିଂପୁର ଜିଲ୍ଲା ପ୍ରଳୟଙ୍କରୀ ବାତ୍ୟା ‘ୟାସ’ରେ ବିଶେଷ ଭାବେ କ୍ଷତିଗ୍ରସ୍ଥ ହୋଇଛି | ଏହି ବାତ୍ୟାରେ ଗଛଗୁଡିକ ଭାଙ୍ଗିବା ଯୋଗୁ ୮ ଟି ଜିଲ୍ଲାର ୫୧୦ ଟି ରାସ୍ତାରେ ଗମନାଗମନ ବ୍ୟାହତ ହୋଇଥିଲା |

ଗତ କାଲି ୨୭ ତାରିଖ ସୁଦ୍ଧା ଏହି ସମସ୍ତ ଜିଲ୍ଲାରେ ଅବରୋଧ ହୋଇଥିବା ୫୧୦ ଟି ରାସ୍ତାରୁ ଉପୁଡି ପଡିଥିବା ଏବଂ ଭାଙ୍ଗି ଯାଇଥିବା ୨୦୭୪ ଗଛକୁ କଟାଯାଇ ଗମନାଗମନ ବ୍ୟବସ୍ଥାକୁ ସ୍ୱାଭାବିକ କରାଯାଇଛି ବୋଲି ଗ୍ରାମ୍ୟ ଉନ୍ନୟନ ବିଭାଗ ସୂତ୍ରରୁ ପ୍ରକାଶ |

୨୬ ତାରିଖରେ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ ଯେ, ”ଆସନ୍ତା ୨୪ ଘଣ୍ଟା ମଧ୍ୟରେ କ୍ଷତିଗ୍ରସ୍ତ ଜିଲ୍ଲାଗୁଡିକର ସମସ୍ତ ପ୍ରମୁଖ ରାସ୍ତା ଗୁଡିକ ଯୋଗାଯୋଗ ସ୍ୱାଭାବିକ କରାଯିବ |” ତଦନୁଯାୟୀ ୨୭ ତାରିଖ ସୁଦ୍ଧା ଯୁଦ୍ଧକାଳୀନ ଭିତ୍ତିରେ ସମସ୍ତ ଅବରୋଧ ହଟାଯାଇଥିଲା |