ବାତ୍ୟା ପ୍ରଭାବିତ ଅଞ୍ଚଳରେ ଉଦ୍ଧାର କାର୍ଯ୍ୟ ଜାରି, ଓଡିଶା ଅଗ୍ନିଶମ ସେବାର ୧୩୫ ଟି ଟିମ ନିୟୋଜିତ

କଟକ : ବାତ୍ୟା ‘ୟାସ’ ର ମୁକାବିଲା କରିବା ପାଇଁ ଓଡିଶା ଅଗ୍ନିଶମ ସେବା ବିଭାଗର ବ୍ୟାପକ ପ୍ରସ୍ତୁତି ପରିପ୍ରେକ୍ଷୀରେ ବାଲେଶ୍ୱର ଜିଲ୍ଲାରେ ପୂର୍ବରୁ ନିୟୋଜିତ ହୋଇଥିବା ୪୦ , ଭଦ୍ରକ ଜିଲ୍ଲାରେ ୨୦, ମୟୁରଭଞ୍ଜ ଜିଲ୍ଲାରେ ୨୫, କେନ୍ଦ୍ରାପଡା ଜିଲ୍ଲାରେ ୧୫, ଯାଜପୁର ଜିଲ୍ଲାରେ ୧୩ ଏବଂ କେଉଁଝର ଜିଲ୍ଲାରେ ୨୨ ଗୋଟି ଦଳ ଅଗ୍ନିଶମ ବିଭାଗର ବରିଷ୍ଠ ଅଧିକାରୀ ମାନଙ୍କ ତତ୍ୱାବଧାନରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି I ଏହି କର୍ମଚାରୀମାନେ ଆବଶ୍ୟକୀୟ ଯନ୍ତ୍ରାଂଶ ଏବଂ ପାୱାର ବୋଟ ସହ ଜିଲ୍ଲାର ବିଭିନ୍ନ ବାତ୍ୟା ପ୍ରଭାବିତ ଅଞ୍ଚଳରେ ପୂର୍ବ ଯୋଜନା ଅନୁଯାୟୀ ମୁତୟନ ହୋଇ କାର୍ଯ୍ୟ ଆରମ୍ଭ କରିଛନ୍ତି I ଅଗ୍ନିଶମ ଟିମ ବିଶେଷ ପ୍ରଭାବିତ ହୋଇଥିବା ବାଲେଶ୍ୱର, ଭଦ୍ରକ, ମୟୁରଭଞ୍ଜ ଓ କେଉଁଝର ଜିଲ୍ଲାର ବିଭିନ୍ନ ରାସ୍ତାରେ ଭାଙ୍ଗିପଡିଥିବା ଗଛ କାଟି ରାସ୍ତା ସଫା କରି ଗମନାଗମନର ସୁବ୍ୟବସ୍ଥା କରିଛନ୍ତି | ତତସଂଗେ ସଂଗେ ପାଣି ଘେରରେ ରହିଥିବା କିଛି ଲୋକଙ୍କୁ ଉଦ୍ଧାର କରିଛନ୍ତି I ଏତଦ ବ୍ୟତୀତ ବିଭିନ୍ନ ଗୃହ ଓ ଜନବସତି ଉପରେ ଭାଙ୍ଗି ପଡିଥିବା ବଡ ବଡ ଗଛ କାଟି ସଫା କରିବା କାର୍ଯ୍ୟରେ ଲାଗିପଡିଛନ୍ତି I ବାତ୍ୟା ଯୋଗୁ ବାଲେଶ୍ୱର ଜିଲ୍ଲା ଅଧିକ ପ୍ରଭାବିତ ହୋଇଥିବା ଯୋଗୁ ଉଦ୍ଧାର କାର୍ଯ୍ୟ କରିବା ପାଇଁ ଆଜି ଆଉ ୧୦ଟି ଉଦ୍ଧାରକାରୀ ଦଳକୁ ପଠାଯାଇଛି I
ଅଗ୍ନିଶମ ବିଭାଗର ମହାନିର୍ଦ୍ଦେଶକ ଶ୍ରୀଯୁକ୍ତ ଏମ. ଅକ୍ଷୟ ଏବଂ ଅନ୍ୟ ବରିଷ୍ଠ ଅଧିକାରୀ ମାନେ କଣ୍ଟ୍ରୋଲ ରୁମରେ ରହି ଏହି ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରୁଛନ୍ତି |