ଅଟକିଲାନି ପାଦ, 22 ପାହାଚ ଦେଇ ସିଧା ଦୌଡ଼ିଲେ କାଳିଆ ପାଖକୁ, ମୁଁ ମହାପ୍ରଭୁଙ୍କୁ ଦର୍ଶନ କରିବି ।

ପୁରୀ: ମୁଁ ଜଗାକୁ ଦେଖିବି । ମୋତେ ଜଗା ଡାକିଛି । ଦୌଡ଼ି ଦୌଡ଼ି 22 ପାହାଚ ଦେଇ ନାଗା ସାଧୁ ସିଧା ଚାଲିଲେ ମନ୍ଦିର ଭିତରକୁ । ସାଧୁଙ୍କଙ୍କ ପଛରେ ଦୌଡୁ ଥାଆନ୍ତି ଶ୍ରୀମନ୍ଦିର ପୋଲିସ । ଭକ୍ତ ର ଭାବକୁ ଆଉ ଅଟକାଇ ପାରିଲାନି ପ୍ରଶାସନର କଟକଣା । ଏମିତି ଭାବ ବିହୋଳ ଦୃଶ୍ୟ ଦେଖିବାକୁ ମିଳିଥିଲା ସିଂହ ଦ୍ୱାର ସମ୍ମୁଖରେ ।

କଟକଣା ଭିତରେ କେବଳ ସେବାୟତଙ୍କ ପରିବାରକୁ ଆଜି ଅନୁମତି ମିଳିଛି ଜଗାକୁ ଦର୍ଶନ କରିବା ପାଇଁ । ହେଲେ ଏହାରି ଭିତରେ ଏହି ନାଗା ସାଧୁ ଜଣଙ୍କ କଟକଣା ନ ମାନି ମନ୍ଦିର ଭିତରକୁ ପ୍ରବେଶ କରି ମହାପ୍ରଭୁଙ୍କ ଦର୍ଶନ କରିଥିଲେ । ୨୨ ପାହାଚ ଡେଇଁ ମନ୍ଦିରକୁ ପ୍ରବେଶ କରିଥିଲେ ନାଗା ସାଧୁ ।

ପରେ ଜଗନ୍ନାଥ ମନ୍ଦିର ପୋଲିସ ତାଙ୍କୁ କାବୁ କରିଥିଲେ । ଏହାପରେ ତାଙ୍କୁ ମନ୍ଦିର ବାହାରକୁ ଆଣିଥିଲେ । ଏବେ ଭକ୍ତ ଙ୍କୁ ମିଳିବ କାଳିଆ ଦର୍ଶନ । ତିନି ଠାକୁରଙ୍କ ଦର୍ଶନ ପାଇଁ ବ୍ୟାକୁଳ ଥିଲେ ସମସ୍ତ ଭକ୍ତ । ସମସ୍ତଙ୍କ ର ଅପେକ୍ଷା ଥିଲା କେବେ ଖୋଲିବ ଶ୍ରୀମନ୍ଦିର ? ଏବଂ ମନଭରି ଚତୁର୍ଦ୍ଧା ମୂର୍ତି ଙ୍କୁ ଟିକେ ଦର୍ଶନ କରିବେ । ଶେଷରେ ସବୁ ଅପେକ୍ଷାର ଅନ୍ତ ଘଟିଛି । ଆଜି ଖୋଲିଲା ଶ୍ରୀମନ୍ଦିର ।

୯ ମାସ ପରେ ଭକ୍ତ ଓ ଭଗବାନଙ୍କ ହେଲା ମିଳନ । ପ୍ରଥମେ ସେବାୟତ ଓ ତାଙ୍କ ପରିବାର ଦର୍ଶନ କରୁଛନ୍ତି। ଦୀର୍ଘ ମାସ ପରେ ଶ୍ରୀଜିଉଙ୍କୁ ଦର୍ଶନ କରି ଭାବବିହ୍ଵଳ ହୋଇପଡିଛନ୍ତି। ଆଜିଠୁ ୩ ଦିନ ଧରି ସେବାୟତ ଓ ତାଙ୍କ ପରିବାର ମହାପ୍ରଭୁଙ୍କୁ ଦର୍ଶନ କରିବେ । ଶୃଙ୍ଖଳିତ ଦର୍ଶନ ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି କରାଯାଇଛି। ସକାଳ ୪ଟା ୪୦ରେ ସିଂହଦ୍ୱାର ଫିଟିବା ପରେ ଆରମ୍ଭ ହୋଇଥିଲା ଦର୍ଶନ। ମାର୍କେଟ ଛକରୁ ରାଜନଅର ଯାଏ ନିର୍ମାଣ ହୋଇଛି ଅସ୍ଥାୟୀ ବ୍ୟାରିକେଡ ।

ଏହି ବ୍ୟାରିକେଡ ଦେଇ ଶ୍ରଦ୍ଧାଳୁମାନେ ସିଂହଦ୍ୱାର ଯାଏଁ ଯାଉଛନ୍ତି । ସିଂହଦ୍ୱାର ଆଗରେ ୯ଟି ଲାଇନ କରାଯାଇଛି । ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଯୋଗାଇ ଦିଆଯାଇଥିବା ସ୍ୱାସ୍ଥ୍ୟ ଓ ଅନ୍ୟ କୌଣସି ପରିଚୟପତ୍ର ଦେଖାଇ ସେମାନେ ଯେକୌଣସି ଦ୍ୱାର ଦେଇ ପ୍ରବେଶ କରୁଛନ୍ତି।

ପ୍ରଥମ ପର୍ଯ୍ୟାୟ ଦର୍ସନ ୭ଟା ୩୦ରୁ ୧୧ଟା ୩୦ ଓ ଦ୍ୱିତୀୟ ପର୍ଯ୍ୟାୟ ଦର୍ସନ ୧୨ଟାରୁ ୪ଟା ଏବଂ ତୃତୀୟ ପର୍ଯ୍ୟାୟ ଦର୍ସନ ୪ଟା୩୦ରୁ ପହୁଡ ଯାଏଁ ଚାଲିବ। ୨୬ରୁ ୩୧ ତାରିଖ ଯାଏ ପୁରୀ ପୌରପାଳିକା ବାସୀଙ୍କ ମହାପ୍ରଭୁଙ୍କ ଦର୍ଶନ ପାଇଁ ପ୍ରସ୍ତୁତ ହୋଇଛି ୱାର୍ଡ ୱାରୀ ତାଲିକା । ପ୍ରତି ପରିବାରକୁ ଚିରକୁଟି ଯୋଗାଇ ଦିଆଯିବ । ଜାନୁଆରୀ ୩ ତାରିଖରୁ ଆରମ୍ଭ ହେବ ସର୍ବସାଧାରଣ ଦର୍ଶନ ।