ଭୁଲରେ ଗୁଗୁଲ୍ ରେ କରନ୍ତୁ ନାହିଁ ଏସବୁ ସର୍ଚ୍ଚ ,ନଚେତ ଅସୁବିଧାରେ ପଡିପାରନ୍ତି ଆପଣ

ଭୁବନେଶ୍ୱର : ଦିନକୁ ଦିନ ଇଣ୍ଟରନେଟ୍ ବ୍ୟବହାର ସହିତ ଅନଲାଇନ୍ ଠକେଇ ମାମଲା ମଧ୍ୟ ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି । ଗୁଗୁଲରେ, ଆମେ ଅଧିକାଂଶ ଏହିପରି କିଛି ସୂଚନା ଖୋଜୁ, ଯାହା କରିବା ଉଚିତ୍ ନୁହେଁ । ଏନେଇ ହ୍ୟାକର୍ସମାନେ ଅନାଇ ରହିଥା’ନ୍ତି ଯେ କେତେବେଳେ ଆପଣ ସେ ଭୁଲ କରିବେ ଆଉ ତାଙ୍କର ଶିକାର ହେବେ । ଆମେ ଆପଣଙ୍କୁ ଏପରି କିଛି ସୂଚନା ବିଷୟରେ କହୁଛୁ, ଯାହାକୁ ଆପଣ ଭୁଲରେ ମଧ୍ୟ ଗୁଗୁଲ ରେ ସନ୍ଧାନ କରିବା ଉଚିତ୍ ନୁହେଁ ।

ବ୍ୟାଙ୍କ ସୂଚନା
କରୋନା ଯୁଗରେ ଅନଲାଇନ୍ ବ୍ୟାଙ୍କିଙ୍ଗ୍ ଏବଂ କାରବାର ପୂର୍ବ ଅପେକ୍ଷା ଅଧିକ ବୃଦ୍ଧି ପାଇଛି । ଏହାର ଅନେକ ସୁବିଧା ଏବଂ ଅସୁବିଧା ଅଛି । ଅନଲାଇନ୍ ଠକେଇ କରୁଥିବା ହ୍ୟାକର୍ସମାନେ ବ୍ୟାଙ୍କ ପରି ଏକ URL ସୃଷ୍ଟି କରନ୍ତି । ଏହା ପରେ, ଯେତେବେଳେ ବି ଆମେ ସେହି ବ୍ୟାଙ୍କର ନାମ ଏଣ୍ଟ୍ରି କରୁ, ଆମେ ସେମାନଙ୍କ ଜାଲରେ ଫସିଯାଉ ଏବଂ ଆମ ଆକାଉଣ୍ଟରୁ ଟଙ୍କା ଚୋରି ହୋଇଯାଇଥାଏ । ତେଣୁ, ଗୁଗୁଲ ଅପେକ୍ଷା ଆପଣ ବ୍ୟାଙ୍କର ଅଫିସିଆଲ୍ ୱେବସାଇଟରୁ ସର୍ବଦା ସୂଚନା ନିଅନ୍ତୁ ।

କଷ୍ଟମର କେୟାର ନମ୍ବର 
ଯେକୌଣସି କଷ୍ଟମର କେୟାର ନମ୍ବର ପାଇଁ ଆମେ ପ୍ରାୟତଃ ଗୁଗୁଲରେ ଖୋଜିଥାଉ। ଅଧିକାଂଶ ଲୋକ ଏହି କାରଣରୁ ଅନଲାଇନ୍ ଠକେଇର ଶିକାର ହୋଇଥାନ୍ତି । ତେଣୁ ଆପଣ କେବଳ କମ୍ପାନୀର ଅଫିସିଆଲ୍ ୱେବସାଇଟରୁ ହିଁ କଷ୍ଟମର କେୟାର ନମ୍ବର ନିଅନ୍ତୁ ।

ଗୁଗୁଲ୍ ରେ ଡାକ୍ତରଙ୍କୁ ଅନୁସରଣ 
ଅନେକ ଲୋକ ଗୁଗୁଲକୁ ଜଣେ ଡାକ୍ତର ଭାବରେ ବିବେଚନା କରନ୍ତି । କୌଣସି ରୋଗ ହେଲେ, ସେମାନେ ସେମାନଙ୍କର ଲକ୍ଷଣ ଦେଖି ମେଡ଼ିସିନ ଖୋଜିବା ଆରମ୍ଭ କରିଦିଅନ୍ତି । ଏହା ମଧ୍ୟ ଆପଣଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି କରିଥାଏ । ଏହି ରୋଗ ବିଷୟରେ ସୂଚନା ସଂଗ୍ରହ କରିବା ଭୁଲ ନୁହେଁ, କିନ୍ତୁ ଗୁଗୁଲର ଯେକୌଣସି ୱେବସାଇଟ୍ ଅନୁଯାୟୀ ଏହାର ଚିକିତ୍ସା କିମ୍ବା ଔଷଧ ସେବନ କରିବା ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ କ୍ଷତିକାରକ ହୋଇପାରେ। ଆମକୁ ଏସବୁଠାରୁ ଦୂରେଇ ରହିବା ଆବଶ୍ୟକ ।