ବିନା କାରଣରେ ବାହାରକୁ ଆସି ‘ହିରୋପନ୍ତି’ ଦେଖାନ୍ତୁ ନାହିଁ : ମୁମ୍ବାଇ ପୋଲିସ୍

ମୁମ୍ବାଇ: ବଲିଉଡ ଅଭିନେତା ଓ ଅଭିନେତ୍ରୀଙ୍କ ନାଁରେ ମାମଲା ରୁଜୁ କରିଛି ପୋଲିସ୍ | କୋଭିଡ ନିୟମ ଉଲ୍ଲଙ୍ଘନ ପାଇଁ ମାମଲା ରୁଜୁ ହୋଇଛି ବୋଲି ନିଆରା ଢଙ୍ଗରେ ସୂଚନା ଦେଇଛନ୍ତି ମୁମ୍ବାଇ ପୋଲିସ୍ |

ମିଳିଥିବା ସୂଚନା ଅନୁଯାୟୀ, କୋଭିଡ୍‌-୧୯ ନିୟମ ଉଲ୍ଲଂଘନ ଅଭିଯୋଗରେ ଅଭିନେତା ଟାଇଗର ଶ୍ରଫ୍ ଓ ଅଭିନେତ୍ରୀ ଦିଶା ପାଟାନୀଙ୍କ ନାଁରେ ମାମଲା ରୁଜୁ କରିଛି ମୁମ୍ବାଇ ପୁଲିସ୍ | କଟକଣା କୋହଳ ସମୟ ପରେ ସନ୍ଧ୍ୟାରେ ଟାଇଗର ଓ ଦିଶା ବାନ୍ଦ୍ରା ବସଷ୍ଟାଣ୍ଡ ଅଞ୍ଚଳରେ ବୁଲୁଥିବା ବେଳେ ପୁଲିସ୍ ସେମାନଙ୍କୁ ଅଟକାଇଥିଲା |

ସେମାନେ କେଉଁ କାରଣରୁ ଘରୁ ବାହାରିଛନ୍ତି ବୋଲି ପୁଲିସ୍ ପଚାରିଥିଲା | ସେମାନଙ୍କ ଠାରୁ କୌଣସି ସନ୍ତୋଷଜନକ ଉତ୍ତର ନ ପାଇ ପୋଲିସ୍ ସେମାନଙ୍କ ବିରୋଧରେ ମାମଲା ରୁଜୁ କରିଛି | ମୁମ୍ବାଇ ପୁଲିସ୍ ପକ୍ଷରୁ ଏହି ଦୁଇ ଷ୍ଟାରଙ୍କ ବିରୋଧରେ ମାମଲା ରୁଜୁ ହୋଇଥିବା ନେଇ ଟ୍ୱିଟ୍ କରି ସୂଚନା ଦିଆଯାଇଛି | ତେବେ ଟ୍ୱିଟ୍ ଟିକେ ନିଆରା ଢଙ୍ଗରେ କରିଛି ପୋଲିସ୍ |

ଟ୍ୱିଟ୍ ରେ ଦୁଇ ଷ୍ଟାରଙ୍କ ନାଁ ଉଲ୍ଲେଖ ନାହିଁ କିନ୍ତୁ ସେମାନଙ୍କ ଫିଲ୍ମର ନାଁ ବ୍ୟବହାର କରାଯାଇଛି | ପୋଲିସ୍ ପକ୍ଷରୁ ଲେଖାଯାଇଛି ବିନା କାରଣରେ ବାହାରକୁ ଆସି ‘ହିରୋପନ୍ତି’ ଦେଖାନ୍ତୁ ନାହିଁ, ଯାହା ଆପଣମାନଙ୍କ ସୁରକ୍ଷାକୁ କ୍ଷତି ପହଞ୍ଚାଇପାରେ | ମୁମ୍ବାଇ ପୋଲିସ୍ ର ଏହି ନିଆରା ଢଙ୍ଗ ଏବେ ପୁରା ଦେଶରେ ଚର୍ଚ୍ଚା |