ଭୁବନେଶ୍ୱର: ପୁଣି ଚର୍ଚ୍ଚାରେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ହେଲେ ଏଥର ସେ ତାଙ୍କ ରୋଜଗାର ହେତୁ ହେଡଲାଇନରେ ଅଛନ୍ତି । ରାଷ୍ଟ୍ରପତି ପଦ ଛାଡିବା ପରେ ମଧ୍ୟ ସେ ବ୍ୟକ୍ତିଗତ ଭାବେ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି।
ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଡୋନାଲ୍ଡ ଟ୍ରମ୍ପଙ୍କ ସମର୍ଥକମାନେ ଫଟୋଗ୍ରାଫି କରିବା ସହ ଏକାଠି ଚା ପିଇବା ପାଇଁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରୁଛନ୍ତି। ରିପୋର୍ଟ ଅନୁଯାୟୀ, ଡୋନାଲ୍ଡ ଟ୍ରମ୍ପଙ୍କ ସହ ଚା ପିଇବା ପାଇଁ ୩୭ ଲକ୍ଷ ଏବଂ ଫଟୋ ଉଠାଇବା ପାଇଁ ୨୨ ଲକ୍ଷ ଟଙ୍କା ଲାଗିଥାଏ।
କାର୍ଯ୍ୟକ୍ରମରୁ ପ୍ରାପ୍ତ ଟଙ୍କା ସିଧାସଳଖ ଡୋନାଲ୍ଡ ଟ୍ରମ୍ପଙ୍କ ଆକାଉଣ୍ଟକୁ ଯାଇଥାଏ । ସୂଚନାଯୋଗ୍ୟ ଯେ କଫି ଟେବୁଲ ପୁସ୍ତକରୁ ଟ୍ରମ୍ପ ଗତ ଏକ ବର୍ଷ ମଧ୍ୟରେ ୫୦୬ କୋଟି ଟଙ୍କା ରୋଜଗାର କରିଛନ୍ତି।
କେବଳ ଟ୍ରମ୍ପ ନୁହଁନ୍ତି,ବ୍ୟକ୍ତିଗତ ଇଭେଣ୍ଟ ମାଧ୍ୟମରେ ଆମେରିକାର ପୂର୍ବତନ ରାଷ୍ଟ୍ରପତିମାନେ ମଧ୍ୟ ଟଙ୍କା ରୋଜଗାର କରିଛନ୍ତି। ଏଥିମଧ୍ୟରେ ରହିଛନ୍ତି ବାରାକ ଓବାମା, ବିଲ କ୍ଲିଣ୍ଟନ ଏବଂ ଜର୍ଜ ଡବ୍ଲୁ ବୁଶ । ବାରାକ ଏବଂ ତାଙ୍କ ପତ୍ନୀ ମିସେଲ ୪୮୯ କୋଟି ଟଙ୍କାରେ ଏକ ବୁକ୍ ଡିଲ୍ କରିଥିଲେ।