କାର୍ କିଣିବା ପାଇଁ ଜିଦ୍ ଧରି ନିଜ ବାଇକ୍ ପୋଡିଦେଲେ ନିଶାଗ୍ରସ୍ତ ଯୁବକ

ମୟୁରଭଞ୍ଜ : ନିଶାଗ୍ରସ୍ତ ଯୁବକର ଉନ୍ମତ୍ତ କାଣ୍ଡ | କାର କିଣିବାକୁ ମା’ ମନା କରିଦେବାରୁ ନିଜ ବାଇକ ପୋଡିଦେଲେ |

ନିଶା ଖାଇଲେ ମଣିଷ କଣ ନାହିଁ କଣ କରିବସେ ସେ ନିଜେ ବି ଜାଣି ପାରେନି | ଏପରିକି ନିଶାଗ୍ରସ୍ତ ହେଇ ନିଜ ଆତ୍ମୀୟସ୍ୱଜନ, ବନ୍ଧୁ ପରିଜନଙ୍କୁ ବି ଜୀବନରେ ମାରିଦେବାର ନଜିର ରହିଛି | ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆର ପିଛୁଳି ଗାଁରେ ରୁହନ୍ତି ଦିପୁ ମହାନ୍ତି |
ସେ ନିଶାଗ୍ରସ୍ତ ଅବସ୍ଥାରେ ଏକ କାର କିଣିବା ପାଇଁ ମା’ଙ୍କ ନିକଟରେ ଜିଦ ଧରିଲେ | କିନ୍ତୁ ମା’ ସଫା ସଫା ମନା କରି ଦେଇଥିଲେ | ବାସ ତାପରେ ଆରମ୍ଭ ହେଇଯାଇଥିଲା ଲଙ୍କାକାଣ୍ଡ | ଦିପୁ ଭୁଲିଗଲା ନିଜର ହିତାହିତ ଜ୍ଞାନ | ନିଜ ବିବାହିତା ପତ୍ନୀ ଓ ମା କୁ ମାରିବାପାଇଁ ଧମକାଇବା ସହ ଗୋଟେ ପରେ ଗୋଟେ ଉତ୍ପାତ ଆରମ୍ଭ କରିଦେଇଥିଲା | ହାତରେ ଏକ ଟାଙ୍ଗିଆ ଧରି ଘର ଉପରକୁ ଉଠିଯାଇ ଟାଇଲ ଗୁଡ଼ିକୁ ପିଟି ଭାଙ୍ଗି ବାକୁ ଲାଗିଲା | ଦୀପୁ ନିଶାଗ୍ରସ୍ତ ଅବସ୍ଥାରେଏପରିକି ନିଜ ପ୍ରିୟ ବାଇକ୍ ମଧ୍ୟ ପୋଡ଼ି ଦେଇଥିଲା | ଏହା ଦେଖି ଗ୍ରାମବାସୀ ଭୟଭୀତ ହେଇ ପୋଲିସ୍‌କୁ ଖବର ଦେଇଥିଲେ |

ଘଟଣାସ୍ଥଳରେ ପୁଲିସ୍ ଓ ଅଗ୍ନିଶମ ବାହିନୀ କର୍ମଚାରୀ ପହଂଚିବାପରେ ଦିପୁକୁ ଧରିବାକୁ ନାକେଦମ ହେଇଯାଇଥିଲେ | ଦିପୁ ବାରମ୍ବାର ନିଜ ହାତ ଓ ବେକକୁ କାଟିବାକୁ ଉଦ୍ୟମ କରୁଥିବା କାରଣରୁ ଅଗ୍ନିଶମ ବାହିନୀ କର୍ମଚାରୀମାନେ ଦୀର୍ଘ କେତେ ଘଣ୍ଟାର କସରତ ପରେ ଦିପୁକୁ କାବୁ କରି ନେଇଥିଲେ | ନିଶାରେ ଚୁର ଥିବା ଦିପୁ ନିଜ ପାପୁଲି କାଟି ଦେଇଥିବାରୁ ତାଙ୍କୁ କରଞ୍ଜିଆ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି |

Post End