ଭୁବନେଶ୍ୱର: ଇଲେକ୍ଟ୍ରିକ୍ ସ୍କୁଟରରେ ନିଆଁ ଲାଗିବା ଖବର ଦିନକୁ ଦିନ ବଢ଼ିବାରେ ଲାଗିଛି। ଗତ ଏକ ସପ୍ତାହ ମଧ୍ୟରେ ଚାରିଟି ଏଭଳି ଘଟଣା ଘଟିଛି ଏବଂ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବା ନେଇ ମଧ୍ୟ ଅଭିଯୋଗ ହେଉଛି।
ମାର୍ଚ୍ଚ ୨୬ ରେ ତାମିଲନାଡୁର ଭେଲୋରରେ ଇଲେକ୍ଟ୍ରିକ୍ ସ୍କୁଟର ଚାର୍ଜ କରୁଥିବା ସମୟରେ ବିସ୍ଫୋରଣ ହୋଇଥିଲା । ଏହି ବିସ୍ଫୋରଣରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ମାର୍ଚ୍ଚ ୨୬ ରେ ମଧ୍ୟ ମହାରାଷ୍ଟ୍ରର ପୁଣେରେ ଥିବା ଏକ ଇଲେକ୍ଟ୍ରିକ୍ ସ୍କୁଟରରେ ନିଆଁ ଲାଗିଯାଇଥିଲା। ଏହି ଘଟଣା ପରେ ଏବେ ଇଲେକ୍ଟ୍ରିକ୍ ସ୍କୁଟରକୁ ନେଇ ଲୋକଙ୍କ ମନରେ ଏକ ପ୍ରକାର ଭୟ ସୃଷ୍ଟି କରିଛି ।
ଯୁକ୍ତରାଷ୍ଟ୍ରରେ ଯେତେବେଳେ ଏହି ଘଟଣା ସାମ୍ନାକୁ ଆସୁଥିଲା, ସେଠାରେ ଏହାର ଅନୁସନ୍ଧାନ କରାଯାଇଥିଲା । ଅନୁସନ୍ଧାନରେ କୁହାଯାଇଥିଲା ଯେ Lithium-Ion ବ୍ୟାଟେରୀ ଇଲେକ୍ଟ୍ରିକ୍ ସ୍କୁଟରରେ ବ୍ୟବହୃତ ହୁଏ, ଫଳରେ ବ୍ୟାଟେରୀ ଉଚ୍ଚ ତାପମାତ୍ରାରେ ଗରମ ହୋଇ ନିଆଁ ଧରିଥାଏ । ଏହା ବ୍ୟତୀତ ଯଦି ଗାଡି ଚାଲୁଥିବା ସମୟରେ ବ୍ୟାଟେରୀ ଅଧିକ କମ୍ପନ ହେଲେ ମଧ୍ୟ ନିଆଁ ଧରିଥାଏ ।
ଇଲେକ୍ଟ୍ରିକ୍ ସ୍କୁଟର ବିସ୍ଫୋରଣ ଘଟଣା ସାମ୍ନାକୁ ଆସିବା ପରେ କେନ୍ଦ୍ର ପରିବହନ ମନ୍ତ୍ରୀ ନିତିନ ଗଡକରୀ ଗୁରୁବାର ଦିନ ଲୋକସଭାରେ କହିଛନ୍ତି ଯେ ସରକାର ଏହି ସବୁ ଘଟଣାର ଫରେନସିକ୍ ଯାଞ୍ଚ କରିବେ । ଯାଞ୍ଚ ପରେ ଯଦି ଗାଡି ତିଆରି କରୁଥିବା କମ୍ପାନୀଗୁଡିକ ଦାୟୀ ପ୍ରମାଣିତ ହୁଅନ୍ତି ତେବେ ସେମାନଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।