ଭୁବନେଶ୍ୱର: ଗିରଫ ହୋଇଥିବା ନକଲି ଡାକ୍ତରଙ୍କ ଗୁମର ଖୋଲିବାରେ ଲାଗିଛି । ଦିନକୁ ଦିନ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସିବାରେ ଲାଗିଛି । ଏହାରି ମଧ୍ୟରେ ଭୁବନେଶ୍ୱର ଡିସିପି ଉମାଶଙ୍କର ଦାସ କହିଛନ୍ତି ଯେ,ତଦନ୍ତରୁ ଜଣାପଡିଛି ଯେ, ରସିକିଆ ନକଲି ଡାକ୍ତର ମାଟ୍ରିକ ଫେଲ । ସମ୍ପର୍କୀୟଙ୍କୁ ପଚରାଉଚରା ପରେ କମିସନରେଟ ପୋଲିସ କୁ ଏହି ସୂଚନା ମିଳିଥିବା କହିଛନ୍ତି ଡିସିପି ।
୧୭ ବିବାହ ପରେ ପୁଣି ବାହା ହେବାକୁ ଯୋଜନା କରିଥିଲା ରମେଶଚନ୍ଦ୍ର ସ୍ବାଇଁ । ବାହାଘର ପାଇଁ ଅନେକ ମହିଳାଙ୍କ ସହ ଯୋଗାଯୋଗରେ ଥିଲା । ଏସବୁ ଅଭିଯୋଗର ଯାଞ୍ଚ କରାଯିବ । ଏହା ସହ ଅଧିକ ତଦନ୍ତ ପାଇଁ ରମେଶକୁ ରିମାଣ୍ଡରେ ଆଣି କମିଶନରେଟ ପୋଲିସ ଜେରା କରିବ ବୋଲି କହିଛନ୍ତି ଡିସିପି।
ଗିରଫ ହୋଇଥିବା ନକଲି ଡାକ୍ତର ଜଣକ ହେଉଛନ୍ତି ରମେଶଚନ୍ଦ୍ର ସ୍ବାଇଁ। ନକଲି କାଗଜପତ୍ର କରି ସେ ମହିଳାମାନଙ୍କୁ ଫସାଉଥିଲା । କେତେବେଳେ ନିଜକୁ ଡାକ୍ତର କହୁଥିଲା, ଆଉ କେତେବେଳେ କେନ୍ଦ୍ର ସରକାରଙ୍କ ବଡ ଅଫିସର ବୋଲି ପରିଚୟ ଦେଉଥିଲା। ରମେଶଙ୍କ ଏଭଳି ମାୟା ଜାଲରେ ଫସି ଯାଉଥିଲେ ମହିଳାମାନେ।
ତଦନ୍ତ ବେଳେ ଜଣାପଡ଼ିଲା ଯେ ରମେଶ ବିଭିନ୍ନ ରାଜ୍ୟରେ ପ୍ରାୟ ୧୭ ଜଣଙ୍କୁ ବିବାହ କରିଛି । ୧୯୮୨ ମସିହାରେ କେନ୍ଦ୍ରାପଡା ଅଞ୍ଚଳରେ ସେ ପ୍ରଥମେ ବିବାହ କରିଥିଲା। ୨୦୦୨ ମସିହାରେ ଦ୍ୱିତୀୟ ବିବାହ କରିଥିଲା। ଯିଏ ବିବାହ କରୁଥିଲା, ତା’ସହ କିଛିଦିନ ରହିବା ପରେ ତାର ଟଙ୍କା ନେଇ ଚମ୍ପଟ ମାରୁଥିଲା। ହେଲେ ଜଣେ ମହିଳା ଅଭିଯୋଗ କରିବା ପରେ ରମେଶକୁ ଗତ ରବିବାର ଦିନ ଭୁବନେଶ୍ୱରରୁ ଗିରଫ କରିଥିଲା କମିଶନରେଟ ପୋଲିସର ସ୍ପେସାଲ ସ୍କ୍ୱାର୍ଡ଼।