ଶାନ୍ତିପଡ଼ାରେ ଶାନ୍ତି ଫେରିଲା, ବନ୍ଧୁକଧାରୀ ଯୁବକକୁ କାବୁ କରିବାରେ ସଫଳ ହେଲା ବଲାଙ୍ଗୀର ପୋଲିସ

ବଲାଙ୍ଗୀର : ପ୍ରାୟ ୫ ଘଣ୍ଟାର ଅପରେସନ ପରେ ବନ୍ଧୁକଧାରୀ ଯୁବକକୁ କାବୁ କରିବାରେ ସଫଳ ହୋଇଛି ବଲାଙ୍ଗୀର ପୋଲିସ |ବନ୍ଧୁକଧାରୀ ଯୁବକର ନାଁ ବିକ୍ରମ ପଣ୍ଡା ବୋଲି ସ୍ପଷ୍ଟ ହେଇଛି | ଶାନ୍ତିପଡ଼ାରେ ଲାଗି ରହିଥିବା ଏହି ଡ୍ରାମାର ଅନ୍ତ ଘଟିଛି |

ବିକ୍ରମକୁ ସୁରକ୍ଷିତ ଭାବେ ଧରିବା ପାଇଁ ପୋଲିସ ତାଙ୍କ ମା’, ସାଙ୍ଗସାଥୀ ଓ ଗଣମାଧ୍ୟମ ପ୍ରତିନିଧିଙ୍କ ସହଯୋଗ ନେଇଥିଲା |ତେବେ ସେମାନେ ତାଙ୍କୁ ବୁଝାଇବାରେ ବିଫଳ ହୋଇଥିଲେ | ଏସ୍‌ପି ଘଟଣାସ୍ଥଳରେ ପହଞ୍ଚି ବିକ୍ରମକୁ ବୁଝାଇବାକୁ ପ୍ରୟାସ କରି ମଧ୍ୟ ବିଫଳ ହେବା ପରେ ପୋଲିସ ଅନ୍ୟ ଏକ ରୁମ୍‌ରେ ବନ୍ଦ ରହିଥିବା ଉକ୍ତ ପରିବାରର ତିନି ସଦସ୍ୟଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିଲେ। | ପରେ ଏସ୍‌ପି ଓ ଏସ୍‌ଡିପିଓଙ୍କ ନେତୃତ୍ୱରେ ଦୁଇଟି ଟିମ୍ ଭିନ୍ନ ଭିନ୍ନ ଦିଗରୁ ଘର ଭିତରେ ପଶି ବିକ୍ରମକୁ କାବୁ କରିବାରେ ସଫଳ ହୋଇଥିଲେ | ବିକ୍ରମକୁ ଧରିବା ପାଇଁ ପୋଲିସର ଅପରେସନ ବେଳେ ଗୁଳି ଫୁଟିଥିଲା | ତେବେ କିଏ ଗୁଳି ଫୁଟାଇଥିଲା ତାହା ଏଯାଏ ସ୍ପଷ୍ଟ ହୋଇନି |

ସୂଚନା ଅନୁଯାୟୀ, ଆଜି ସକାଳେ ଶାନ୍ତିପଡ଼ାର ଦିବ୍ୟଲୋଚନ ହୋତାଙ୍କ ଘରେ ପଶିଥିଲା ବିକ୍ରମ | ସେଠାରେ ତାଙ୍କ ଭାଣିଜୀଙ୍କୁ ଡାକିବାକୁ କହିଥିଲେ, ନ ହେଲେ ଗୁଳି ପୁଟାଇ ଦେବେ ବୋଲି କହିଥିଲେ | କୌଶଳ କ୍ରମେ ଯୁବକଙ୍କ ନିକଟରୁ ଖସିଯାଇ ଏକ କୋଠରୀକୁ ନିଜେ ଭିତରପଟୁ ବନ୍ଦ କରିଦେଲେ ପରିବାରଲୋକେ | ଏହି ସମୟରେ ପରିବାରର ଅନ୍ୟଜଣେ ବାହାରୁ ଆସି ବାହାରପଟୁ କବାଟ ଦେଇଥିଲେ | ଫଳରେ ଘର ପୋଟିକରେ ବନ୍ଧୁକଧାରି ଯୁବକ ଜଣକ ବନ୍ଦ ହୋଇ ରହିଛନ୍ତି | ପୋଲିସ କୁ ଖବର ପରେ ତୁରନ୍ତ ପୋଲିସ ଅଗ୍ନିଶମ ବାହିନୀଙ୍କୁ ଧରି ଘଟଣାସ୍ଥଳରେ ପହଂଚିଥିଲେ | ପ୍ରେମ ବ୍ୟାପାରକୁ ନେଇ ଏହି ଘଟଣା ଘଟିଥିବା କେତେକ କହୁଥିବା ବେଳେ ବିକ୍ରମକୁ ପଚରାଉଚରା ପରେ ସତ କଣ ଜଣାପଡିବ |