ପ୍ରେମ ଆନନ୍ଦଙ୍କ ସଂଗୀତରେ ରାଜ୍ୟପାଳ ଗାଇଲେ ଗୀତ

ଭୁବନେଶ୍ୱର : ରାଜ୍ୟପାଳ ଗାଇଲେ ଓଡ଼ିଆ ଗୀତ | ମିଛ ନୁହେଁ କଥାଟି ସତ |

ମ୍ୟୁଜିକ ସାଇଣ୍ଟିଷ୍ଟ ପ୍ରେମ ଆନନ୍ଦଙ୍କ ସଂଗୀତରେ ଓଡ଼ିଆ ଗୀତ ଗାଇଲେ ନିଜେ‌ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ | ରାଜ୍ୟପାଳଙ୍କ ସମେତ ଅନ୍ୟ୧୪ କଣ୍ଠଶିଳ୍ପୀ ମଧ୍ୟ ସେଥିରେ କଣ୍ଠଦାନ କରିଛନ୍ତି | ଷ୍ଟୁଡିଓରେ ବିଧିବଦ୍ଧ ଭାବେ ଜଣେ ପେସାଦାର କଣ୍ଠଶିଳ୍ପୀଙ୍କ ଭଳି ଏହି ଓଡ଼ିଆ ଗୀତର ରେକର୍ଡିଂ କରିଛନ୍ତି ରାଜ୍ୟପାଳ |

ଓଡ଼ିଶାର କଳା, ସଂସ୍କୃତି, ଐତିହ୍ୟ ଓ ପରମ୍ପରାକୁ ନେଇ ସଙ୍ଗୀତ କରିବାକୁ ଭଲପାଆନ୍ତି ସଂଗୀତ ନିର୍ଦେଶକ ପ୍ରେମ ଆନନ୍ଦ | କିଛି ନୂଆ କରିବାର ଆଗ୍ରହ ପାଇଁ ସେ ବାରି ହେଇପଡ଼ନ୍ତି ଅନ୍ୟ ସଂଗୀତକାରଙ୍କ ମଧ୍ୟରେ | ଓଡ଼ିଶାର ପାଣି ପବନ ଓ ପ୍ରେମ ବିରହ ଗୀତକୁ ଖୁବ ଚମତ୍କାରିତା ଭାବେ ଗୀତକୁ ତିଆରି କରନ୍ତି |

ଏ ମାଟି ଓଡ଼ିଶା… ଏ ଜାତି ଓଡ଼ିଆ…| ବସନ୍ତ ରାଜ ସାମଲଙ୍କ ରଚିତ ଏହି ଗୀତଟି ଆସନ୍ତା ଉତ୍କଳ ଦିବସ ଅବସରରେ ମୁକ୍ତିଲାଭ କରିବ ବୋଲି ସୂଚନା ମିଳିଛି | ଏହାର ଗୀତ ରେକଡିଂ ନୀଳାଦ୍ରିବିହାରର ଏକ ଷ୍ଟୁଡିଓରେ ଶେଷ ହୋଇଛି |

ଗୀତ ରେକର୍ଡ଼ିଂ ଅନୁଭୂତିକୁ ନେଇ ରାଜ୍ୟପାଳ କହିଛନ୍ତି, ”ଏହା ଏକ ଅତି ମଧୁର ସଂଗୀତ | ଏହି ଗୀତର ମାଧୁର୍ଯ୍ୟରେ ସମସ୍ତେ ଆତ୍ମହରା ହେବା ସହ ସାରା ବିଶ୍ୱର ହୃଦୟକୁ ଝଙ୍କୃତ କରିବ |”

ସଂଗୀତ ନିର୍ଦ୍ଦେଶକ କହିଛନ୍ତି, ”ଲୁଚିଯାଉଥିବା ଓଡ଼ିଶାର ପରମ୍ପରା, ଐତିହ୍ୟ ଓ ସଂସ୍କୃତିକୁ ଆଧାର କରି ଏହି ଗୀତଟି ରଚନା କରାଯାଇଛି | ଏହି ଗୀତଟି ପ୍ରତ୍ୟେକ ଓଡ଼ିଆଙ୍କ ପାଖରେ ପହଞ୍ଚିବ ଏବଂ ପୂର୍ବ ଓଡ଼ିଆ ପରମ୍ପରା ଓ ଐତିହ୍ୟର ପୁରୁଣା ଗାଥା ଉଜ୍ଜୀବିତ ହୋଇ ଉଠିବ ବୋଲି ସେ ଆଶା କରିଛନ୍ତି |”