ନୂଆଦିଲ୍ଲୀ: ସୋସିଆଲ ମିଡିଆ ଓ ଷ୍ଟ୍ରିମିଂ ପ୍ଲାଟଫର୍ମ ପାଇଁ ନୂଆ ଗାଇଡଲାଇନ ଜାରି | ଆପତ୍ତିଜନକ ବିଷୟବସ୍ତୁକୁ ନିୟନ୍ତ୍ରଣ ପାଇଁ ଗାଇଡଲାଇନ ଜାରି କରିଛନ୍ତି କେନ୍ଦ୍ର ସରକାର |
ଲୋକଙ୍କୁ ସେବା ଯୋଗାଉଥିବା ସବୁ ସଂସ୍ଥା ନିଜ ପାଖରେ ଅଭିଯୋଗ ପ୍ରକୋଷ୍ଠ ପ୍ରତିଷ୍ଠା କରିବେ | ଭାରତର ଅଖଣ୍ଡତା, ସାର୍ବଭୌମତ୍ୱ ଓ ଜାତୀୟ ସୁରକ୍ଷା ପ୍ରତି ବିପଦ ସୃଷ୍ଟି କରୁଥିବା ବିଷୟବସ୍ତୁକୁ ଆଦୌ ବରଦାସ୍ତ କରାଯିବ ନାହିଁ | ଏହା ଉପରେ ନଜର ରଖିବା ପାଇଁ ଏକାଧିକ ମନ୍ତ୍ରଣାଳୟ ଓ ଏଥିକ୍ସ କୋଡ୍ର ବ୍ୟବସ୍ଥା କରାଯିବ ” ବୋଲି କେନ୍ଦ୍ର ସୂଚନା ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ରବି ଶଙ୍କର ପ୍ରସାଦ କହିଛନ୍ତି |
ରବିଶଙ୍କର ପ୍ରସାଦ ଆହୁରି ମଧ୍ୟ କହିଛନ୍ତି କି, ସରକାର ସବୁବେଳେ ଗଠନମୂଳକ ସମାଲୋଚନାକୁ ସହ୍ୟ କରୁଛନ୍ତି | ହେଲେ ଆଉ ସୋସିଆଲ ମିଡିଆକୁ ଅପବ୍ୟବହାର କରିବାକୁ ଦିଆଯିବ ନାହିଁ | ସୋସିଆଲ ମିଡିଆ ଜରିଆରେ ଭାରତ ବାହାରୁ ଦେଶ ବିରୋଧରେ ଷଡ଼ଯନ୍ତ୍ର କରାଯାଉଛି | ତେଣୁ ଏହା ଉପରେ ନିୟନ୍ତ୍ରଣ ରଖିବା ପାଇଁ ଗାଇଡଲାଇନ ଜାରି କରାଯାଇଛି | ଗଣମାଧ୍ୟମର ସ୍ୱାଧୀନତା ରହିଛି,ହେଲେ ଗଣମାଧ୍ୟମ ମଧ୍ୟ ଉପଯୁକ୍ତ ସଂଯମତା ରକ୍ଷା କରି ଖବର ପ୍ରକାଶ କରିବା ଉଚିତ |
ଡିଜିଟାଲ ମିଡିଆ ପ୍ଲାଟଫର୍ମ ପାଇଁ କଣ ରହିଛି ନୂଆ ଗାଇଡଲାଇନ:
– ଅଭିଯୋଗ ଆସିବାର ୨୪ ଘଣ୍ଟା ମଧ୍ୟରେ ସଂପୃକ୍ତି ଡିଜିଟାଲ ମିଡିଆ ପ୍ଲାଟଫର୍ମ ଏହାକୁ ଗ୍ରହଣ କରିବାକୁ ବାଧ୍ୟ |
– ୧୫ ଦିନ ମଧ୍ୟରେ ସଂପୃକ୍ତ ସଂସ୍ଥାର ବିରୋଧରେ ଆସିଥିବା ଅଭିଯୋଗକୁ ସମାଧାନ କରି ଏ ବିଷୟରେ ଘୋଷଣା କରିବେ |
– ଅଭିଯୋଗ ଗ୍ରହଣ କରୁଥିବା ଅଧିକାରୀ, ନୋଡାଲ କଣ୍ଟାକ୍ଟ ଅଧିକାରୀ ଏବଂ ସ୍ଥାନୀୟ ଅଭିଯୋଗ ଗ୍ରହଣ ଅଧିକାରୀଙ୍କ ନାଁ ମଧ୍ୟ ପ୍ରକାଶ କରିବା ବାଧ୍ୟତାମୂଳକ |
– ଯଦି କୌଣସି ଟ୍ୱିଟ ବା ମେସେଜ ବିଷୟରେ ଖବର ପ୍ରକାଶ କରାଯାଉଛି, ତା’ହେଲେ ଏହାର ସ୍ରଷ୍ଟାଙ୍କ ବିଷୟରେ ଜଣାଇବାକୁ ପଡ଼ିବ |
– ଜାତୀୟ ସୁରକ୍ଷାପ୍ରତି ବିପଦ ସୃଷ୍ଟି କରିବା ଭଳି ଖବର ପ୍ରକାଶ କରିବା ବେଳେ ସାବଧାନତା ଅବଲମ୍ବନ କରିବେ |
– କୌଣସି ଆପତ୍ତିଜନକ ବିଷୟବସ୍ତୁ ଥିଲେ ଏହାକୁ ୨୪ ଘଣ୍ଟା ମଧ୍ୟରେ ଅପସାରଣ କରାଯିବ |
– ଡିଜିଟାଲ ନ୍ୟୁଜ ମିଡିଆ ଏବଂ ଓଟିଟି ପ୍ଲାଟଫର୍ମ ସେମାନଙ୍କ ତଥ୍ୟ ସାର୍ବଜନୀନ କରିବେ |
– ପଞ୍ଜୀକରଣ ବାଧ୍ୟତାମୂଳକ ନଥିଲେ ମଧ୍ୟ ସେମାନେ ସବୁ ତଥ୍ୟ ଦେବାକୁ ପଡ଼ିବ |
– ଆସନ୍ତା ୩ ମାସ ମଧ୍ୟରେ ନୂଆ ଗାଇଡଲାଇନକୁ କାର୍ଯ୍ୟକାରୀ କରାଯିବ |
ଅନ୍ୟପଟେ ଓଟିଟି ପ୍ଲାଟଫର୍ମ ପାଇଁ କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭଡେକର କହିଛନ୍ତି ଯେ, ଓଟିଟି ଫ୍ଲାଟଫର୍ମ ସୂଚନା ମନ୍ତ୍ରଣାଳୟ ଅଧୀନକୁ ଆସିବ ଏବଂ ସର୍ଭିସ ପ୍ରୋଭାଇଡର ସେଲଫ କ୍ଲାସିଫିକେସ୍ ବ୍ୟବସ୍ଥା କରିବେ | ଏହା ସହ କେନ୍ଦ୍ର ସରକାର ଏକ ୩ ଥାକିଆ ଯାଞ୍ଚ ବ୍ୟବସ୍ଥା ମଧ୍ୟ କରିଛନ୍ତି |
ଓଟିଟି ପ୍ଲାଟଫର୍ମ ପାଇଁ କଣ ରହିଛି ନୂଆ ଗାଇଡଲାଇନ:
– ଆପତ୍ତିଜନକ ଦୃଶ୍ୟ ଯେମିତି ଛୋଟ ପିଲା ନ ଦେଖନ୍ତି, ସେଥିଲାଗି ସର୍ଭିସ ପ୍ରୋଭାଇଡର ସ୍ୱତନ୍ତ୍ର ବ୍ୟବସ୍ଥା କରିବେ |
– ଚାଇଲ୍ଡ୍ ଲକ୍ ସିଷ୍ଟମ ଓ ବୟସ ଭେରିଫିକେସ୍ର ବ୍ୟବସ୍ଥା ରହିବ |
– ଯଦି ଓଟିଟି ପ୍ଲାଟଫର୍ମରେ କୌଣସି ଆପତ୍ତିଜଜନ ଦୃଶ୍ୟ ପ୍ରସାରଣ କରାଯାଏ, ତା’ହେଲେ ଟିଭି ଭଳି ସେଥିରେ ମଧ୍ୟ ଦେଶବାସୀଙ୍କୁ ସଂପୃକ୍ତ ସଂସ୍ଥା କ୍ଷମା ମାଗିବେ |
– ଓଟିଟି ଫ୍ଲାଟଫର୍ମ ସେଲଫ ରେଗୁଲେଟିଂ ସଂସ୍ଥା ପ୍ରତିଷ୍ଠା କରିବେ |
– ସୁପ୍ରିମକୋର୍ଟ କିମ୍ବା ହାଇକୋର୍ଟ କିମ୍ବା ଏହି ବର୍ଗର ଜଣେ ସୁଦକ୍ଷ ଲୋକଙ୍କୁ ଏହାର ମୁଖ୍ୟ ଭାବେ ନିଯୁକ୍ତ କରିବେ |
ଏହି ସବୁ ନିୟମଗୁଡିକ ସୋସିଆଲ ମିଡିଆ ଏବଂ ଓଟିଟି ପ୍ଲାଟଫର୍ମ ପାଇଁ ଲାଗୁ ହେବ | ଏସବୁ ଉପରେ ସରକାରଙ୍କ ନଜର ରହିବ ବୋଲି ଜାଭଡେକର କରିଛନ୍ତି |