ଭୁବନେଶ୍ୱର: ଅଧା ପଶୁ- ଅଧା ମଣିଷ ! ଏଭଳି ଶରୀର ଧାରୀ ଜୀବକୁ ଆପଣ କେବେ ଦେଖିଛନ୍ତି । ପାକିସ୍ତାନର କରାଚୀରେ ରହିଛି ମମତାଜ ମହଲ ନାମକ ଏକ ପ୍ରାଣୀ ଉଦ୍ୟାନ । ଯେଉଁଠି ଆପଣ ଦେଖିବାକୁ ପାଇବେ ଅଧା କୋକିଶିଆଳ- ଅଧା ମଣିଷ ଭଳି ଏକ ଜୀବ ।
ପ୍ରାଣୀ ଉଦ୍ୟାନକୁ ଗଲେ ଆପଣ ଦେଖିବାକୁ ପାଇବ ଯେ, ଜୀବ ଟି ଏକ ଖଟ ପରି ଟେବୁଲ ଉପରେ ଶୋଇରହିଛି। ଯାହାର ଅଧା ଶରୀର ଏକ ଜଙ୍ଗଲୀ ଜନ୍ତୁ କୋକିଶିଆଳ ପରୀ ଦୃଶ୍ୟମାନ ହୁଏ, କିନ୍ତୁ ଏହାର ଚେହେରା ଠିକ୍ ମନୁଷ୍ୟ ପରି। ଯିଏ କି ସେଠାକୁ ଆସୁଥିବା ପର୍ଯ୍ୟଟକମାନଙ୍କୁ ମନୋରଞ୍ଜନ କରନ୍ତି ।
ଏଭଳି କଳା ଦେଖାଉଥିବା ବ୍ୟକ୍ତି ଜଣକ ହେଉଛନ୍ତି ମୁରାଦ ଅଲି । ସେ ଗୁମ୍ଫା ଭିତରେ ପ୍ରାୟ ୧୨ ଘଣ୍ଟା ପର୍ଯ୍ୟନ୍ତ ଏହିପରି ବସିଥାନ୍ତି । ତାଙ୍କୁ ଦେଖିବା ପାଇଁ ଆସୁଥିବା ଲୋକମାନେ ତାଙ୍କୁ ଅନେକ ପ୍ରଶ୍ନ ପଚାରନ୍ତି ଏବଂ ସେ ଉତ୍ତର ମଧ୍ୟ ଦେଇଥାନ୍ତି । ଲୋକମାନେ ଖୁସି ହୋଇ ତାଙ୍କ ସହିତ ଫଟୋ ମଧ୍ୟ ଉଠାଇଥାନ୍ତି । ଅନେକ ଲୋକ ଭାବନ୍ତି ଯେ ସେ ପ୍ରକୃତରେ ଏହିପରି ,ହେଲେ ତାହା ନୁହେଁ । ମୁରାଦ ଅଲି ଲୋକଙ୍କୁ ମନୋରଞ୍ଜନ କରିବା ପାଇଁ ଏଭଳି ଅଭିନୟ କରିଥାନ୍ତି ।
ମୁରାଦ ଅଲିଙ୍କ ପିତା ପୂର୍ବରୁ ଏହି ଭୂମିକା କରୁଥିଲେ। କିନ୍ତୁ ତାଙ୍କର ଦେହାନ୍ତ ପରେ ପୁଅ ମୁରାଦ ଏହି କାମ କରିବା ଆରମ୍ଭ କଲେ। ସେ ଦିନକୁ ପ୍ରାୟ ୧୨ ଘଣ୍ଟା ଧରି ସମାନ ପୋଜରେ ବସିଥାନ୍ତି । ଏହି ସମୟରେ, ତାଙ୍କ ମୁଣ୍ଡଟି କୋକିଶିଆଳର ବେକ ନିକଟରେ ଥିବାବେଳେ ଅବଶିଷ୍ଟ ଶରୀର ଟେବୁଲ ତଳେ ଲୁଚି ରହିଥାଏ । ଲୋକମାନେ ୧୦ ଟଙ୍କାର ଟିକେଟ୍ ନେଇ ତାଙ୍କୁ ଦେଖିବାକୁ ଯାଇଥାନ୍ତି ।