ଭୁବନେଶ୍ୱର: ବାଲକୋନୀରେ ପୋଷାକ ଟାଙ୍ଗିବା, ସିଗାରେଟ୍ ଟାଣିବା କେତେକଙ୍କର ଅଭ୍ୟାସ ରହିଛି । ଯଦି ଏମିତି କିଛି ଅଭ୍ୟାସ ଅଛି ତେବେ ତୁରନ୍ତ ଛାଡ଼ନ୍ତୁ ନଚେତ ଆପଣଙ୍କୁ ମୋଟା ଅଙ୍କର ଜୋରିମାନା ଦେବାକୁ ପଡିପାରେ । ସହରକୁ ପରିଷ୍କାର ରଖିବା ପାଇଁ ଦୁବାଇ ପ୍ରଶାସନ ଏଭଳି କିଛି ନୂଆ ନିୟମ ଜାରି କରିଛି। ଦୁବାଇ ମ୍ୟୁନିସିପାଲଟି ପକ୍ଷରୁ କୁହାଯାଇଛି ଯେ ଲୋକମାନେ ନିଜ ବାଲକୋନୀରେ କିମ୍ବା ଝରକା ଉପରେ ପୋଷାକ ଶୁଖେଇବା କିମ୍ବା ପକ୍ଷୀ ଫିଡରକୁ ବାଲକୋନୀରେ ରଖିପାରିବେ ନାହିଁ। ଯଦି କେହି ଏପରି କରୁଥିବା ନଜର ଆସନ୍ତି ତେବେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ସହ ମୋଟା ଅଙ୍କର ଜୋରିମାନା ମଧ୍ୟ ଆଦାୟ କରାଯିବ ।
ଏହା ସହ ବାଲକୋନୀରେ ଠିଆ ହୋଇଥିବା ସମୟରେ ସିଗାରେଟ୍ ଟାଣୁଥିବା ଲୋକଙ୍କୁ ମଧ୍ୟ ଚେତାବନୀ ଦିଆଯାଇଛି । ଯଦି କେହି ବାଲକୋନୀରେ ସିଗାରେଟ୍ ଟାଣନ୍ତି ତେବେ ତାଙ୍କୁ ମଧ୍ୟ ଜରିମାନା ଦେବାକୁ ପଡିବ । ଭାରତୀୟ ମୁଦ୍ରା ବିଷୟରେ କହିବାକୁ ଗଲେ ଯେଉଁମାନେ ନିୟମ ଭାଙ୍ଗନ୍ତି ସେମାନଙ୍କୁ ୧୦ ହଜାରରୁ ୩୦ ହଜାର ଟଙ୍କା ପର୍ଯ୍ୟନ୍ତ ଜୋରିମାନା ଦେବାକୁ ପଡିବ । ତେବେ ଲୋକମାନଙ୍କୁ ସେମାନଙ୍କ ଆପାର୍ଟମେଣ୍ଟର ବାଲକୋନିର ଅପବ୍ୟବହାର ନକରିବାକୁ ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଇଛି।