ଯାତ୍ରା ସମୟରେ ଯାତ୍ରୀଙ୍କ ଉପରେ ଢଳି ଗଲା ଗରମ ଚା,ଏବେ ଦେବାକୁ ପଡିବ ୫୮ ଲକ୍ଷ

ଭୁବନେଶ୍ୱର: ବିମାନରେ ଘଟିଥିବା ଏକ ଘଟଣା ପାଇଁ ଆୟର୍ଲାଣ୍ଡର ଜଣେ ଯୁବକଙ୍କ ବହୁ କ୍ଷତି ହୋଇଥିଲା। କୋର୍ଟ ଏହାର ସପକ୍ଷରେ ରାୟ ଦେଇଥିବାବେଳେ ଯୁବକଙ୍କୁ କ୍ଷତିପୂରଣ ବାବଦରେ ୫୮ ଲକ୍ଷ ଟଙ୍କା ଦେବାକୁ ତୁର୍କୀ ଏୟାରଲାଇନ୍ସକୁ ନିର୍ଦ୍ଦେଶ ଦେଇଛନ୍ତି। ଚାରି ବର୍ଷ ପୂର୍ବେ ଘଟିଥିବା ଏହି ଦୁର୍ଘଟଣା ପାଇଁ ଏୟାରଲାଇନ୍ସକୁ ଦାୟୀ କରି କିଶୋର ଯୁବକଙ୍କର ମା କୋର୍ଟର ଦ୍ୱାରସ୍ଥ ହୋଇଥିଲେ। ଦୁଇପକ୍ଷର ଯୁକ୍ତି ଶୁଣିବା ପରେ ଶେଷରେ ଆହତ ଯୁବକଙ୍କ ପରିବାରକୁ କ୍ଷତିପୂରଣ ପ୍ରଦାନ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

‘Paddle Your Own Kanoo’ର ରିପୋର୍ଟ ଅନୁଯାୟୀ, ଦୁବଲିନ୍ ରୁ ଇସ୍ତାନବୁଲ (Dublin to Istanbul) ଅଭିମୁଖେ ୨୦୧୭ ରେ ଆୟର୍ଲାଣ୍ଡ ବାସିନ୍ଦା ଏମ୍ରେ କରାକାୟାଙ୍କ (Emre Karakaya) ସହ ଏକ ଦୁର୍ଘଟଣା ଘଟିଥିଲା। ବାସ୍ତବରେ, ବିମାନର କ୍ର୍ୟୁ ସଦସ୍ୟଙ୍କ ହାତରୁ ହଠାତ୍ ଗରମ ଚା କପ ଟି ଖସିଯାଇ ଏମ୍ରେଙ୍କ ଡାହାଣ ଗୋଡରେ ପଡିଯାଇଥିଲା,ଫଳରେ ତାଙ୍କ ଗୋଡରେ ଏକ ଦାଗ ସୃଷ୍ଟି କରିଥିଲା । ଯେତେବେଳେ ଏହି ଦୁର୍ଘଟଣା ଘଟିଲା,ସେତେବେଳେ ଏମ୍ରେଙ୍କ ବୟସ ୧୩ ବର୍ଷ ଥିଲା । ଦୁର୍ଘଟଣା ସମ୍ପର୍କରେ ଜାଣିବା ପରେ ପୁଅର ମା ତୁର୍କୀ ଏୟାରଲାଇନ୍ସ ବିରୋଧରେ ମାମଲା ଦାୟର କରିଥିଲେ। ମାମଲାର ଶୁଣାଣି ସମୟରେ ପୀଡିତାଙ୍କ ମା କହିଥିଲେ ଯେ ଚା ’ପଡିବା ହେତୁ ଏମ୍ରେଙ୍କ ଗୋଡ ଜଳି ଯାଇଥିଲା ଏବଂ ପୁଅର କ୍ଷତ ଭଲ ହେବା ପାଇଁ ତିନିରୁ ଚାରି ସପ୍ତାହ ସମୟ ଲାଗିଥିଲା । ଅବସ୍ଥା ଗୁରୁତର ହେବାରୁ ଶେଷରେ ଏମ୍ରେଙ୍କୁ ପ୍ଲାଷ୍ଟିକ୍ ସର୍ଜନଙ୍କ ନିକଟକୁ ନେବାକୁ ପଡିଥିଲା ।

ତେବେ ସମସ୍ତ ଯୁକ୍ତି ଶୁଣିବା ପରେ ହାଇକୋର୍ଟର ବିଚାରପତି ଏୟାରଲାଇନ୍ସକୁ ଆହତ ଯୁବକଙ୍କ ପରିବାରକୁ କ୍ଷତିପୂରଣ ବାବଦକୁ ୫୬ ହଜାର ପାଉଣ୍ଡ ଅର୍ଥାତ୍ ପ୍ରାୟ ୫୮ ଲକ୍ଷ ଟଙ୍କା ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।