”ମୁଁ ବଡ ହେଲେ ରିପୋର୍ଟର ହେବି, ସମାଜ ସେବା କରିବି ”- ୭ ବର୍ଷର ଝିଅ ପ୍ରତିମାର ସ୍ୱପ୍ନ ରହିଗଲା ଅଧା

ବାଲେଶ୍ୱର : ‘‘ବାବା, ମୋ ଜନ୍ମ ଦିନ ଏଥର ଧୁମ ଧାମ ରେ ପାଳନ କରିବ , ସମସ୍ତଙ୍କୁ ଡ଼ାକିବ |” ସେୟା ବି ହେଲା | କୁନି ଝିଅ ପ୍ରତିମାର ଇଚ୍ଛାକୁ ପୂରଣ କରିବା ପାଇଁ ପରିବାର ଲୋକେ ବହୁ ଆଡମ୍ବରରେ ତାର ଜନ୍ମ ଦିନ ପାଳନ କଲେ | କିନ୍ତୁ ତା’ ଠିକ ପରଦିନ ସେ ଚାଲିଗଲା ଅଫେରା ରାଇଜକୁ |

ବାଲେଶ୍ଵର ଜିଲ୍ଲା ମାଣିପୁର ପଞ୍ଚାୟତ ଅନ୍ତର୍ଗତ ଖୁଣ୍ଟା ଗ୍ରାମର ପ୍ରମୋଦ ଦାସ , ଯିଏ କି ଜଣେ ଗଣମାଧ୍ୟମର ପ୍ରତିନିଧି ଭାବେ କାର୍ଯ୍ୟ କରନ୍ତି | ପ୍ରମୋଦଙ୍କ ୭ ବର୍ଷର ଏକମାତ୍ର ଝିଅ ପ୍ରତିମା, ପାଠରେ ଯେମିତି ନାଚ-ଗୀତରେ ବି ସେମିତି ପାରଙ୍ଗମ | ବାପାଙ୍କ ଭଳି ତାର ବି ସ୍ୱପ୍ନ ଥିଲା – ”ମୁଁ ବଡ ହେଲେ ଜଣେ ରିପୋର୍ଟର ହେବି | ମୁଁ ରିପୋର୍ଟର ହୋଇ ସମାଜ ସେବା କରିବି ” କିନ୍ତୁ ଭାଗ୍ୟର ବିଡମ୍ବନା ଏମିତି ଥିଲା ପ୍ରତିମା ଆଜକୁ ଅଢେ଼ଇ ବର୍ଷ ଧରି ରକ୍ତ କର୍କଟ ରୋଗରେ ଆକ୍ରାନ୍ତ | ଗତ ଦେଢ଼ ବର୍ଷ ଧରି ପ୍ରତିମା ଏମ୍ସ ରେ ଚିକିତ୍ସାଧୀନ ପରେ ଘରେ ରହି ଚିକିତ୍ସିତ ହଉଥିଲା | ଏପ୍ରିଲ ୨୭ ପ୍ରତିମାର ଜନ୍ମ ଦିନ | ନିଜ ଜନ୍ମଦିନକୁ ବଡ ଧୁମ ଧାମରେ ପାଳନ ପାଇଁ ବାପାଙ୍କୁ ଅନୁରୋଧ କରିଥିଲା ପ୍ରତିମା | ପରିବାରର ଅଲିଅଳି ଝିଅର ଇଛା ପୂରଣ ପାଇଁ ବାପା ପ୍ରମୋଦ ଓ ମା ପ୍ରଭାତୀ ଲାଗିପଡ଼ିଥିଲେ | ପ୍ରତିମାର ଜନ୍ମ ଦିନ ଖୁବ ଆଡମ୍ବରରେ ପାଳିତ ହେଲା | ଘରେ ଖାଦ୍ୟ ପ୍ରସ୍ତୁତି ହୋଇ ବନ୍ଧୁ ବାନ୍ଧବ ସମ୍ପର୍କୀୟଙ୍କୁ ପରସା ଗଲା | ପ୍ରତିମା ବି ସେଦିନ ଖୁସିରେ ଫାଟିପଡୁଥିଲା | ହେଲେ ତାର ଠିକ ଗୋଟେ ଦିନ ପରେ ସମସ୍ତଙ୍କ ଆଖିରେ ଲୁହ ଦେଇ ସେ ସବୁଦିନପାଇଁ ଆରପାରିକୁ ଚାଲିଗଲା | ପ୍ରତିମାଙ୍କ ପରିବାର, ସାହିପଡିଶା, ବନ୍ଧୁବାନ୍ଧବ ଏବେ ପ୍ରତିମାର ସ୍ନେହ ବୋଳା ଡାକ ଓ ପୁରୁଣା ସ୍ମୁତି କୁ ମନେ ପକାଇ ଦୁଃଖରେ ଭାଙ୍ଗି ପଡିଛନ୍ତି | ବାପା ପ୍ରମୋଦ ନିଜ ଝିଅର କଥାକୁ ପ୍ରତି ମୁହୂର୍ତ୍ତରେ ଭାଳି ହେଉଛନ୍ତି | ସବୁବେଳେ ଗାଲୁରୁ ଗାଲୁରୁ ହେଇ କଥା କହୁଥିବା ପ୍ରତିମାର କୁନି ଓଠରୁ ମିଠା ମିଠା କଥା ଆଉ ଶୁଭୁନାହିଁ |