ମନୋଜ ଦାସଙ୍କ ସ୍ମୃତିରେ ଆନ୍ତର୍ଜାତୀୟ ପୁରସ୍କାର, ଜନ୍ମସ୍ଥାନରେ ମ୍ୟୁଜିୟମ ଓ ଲାଇବ୍ରେରୀ ପ୍ରତିଷ୍ଠା : ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ‘ମନୋଜ ଦାସ ଅନ୍ତର୍ଜାତୀୟ ସାହିତ୍ୟ ପୁରସ୍କାର’ ଘୋଷଣା | ପୁରସ୍କାର ଘୋଷଣା କଲେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ |

”ଇଂରାଜୀ ଭାଷାରେ ସୃଜନାତ୍ମକ ସାହିତ୍ୟ ସୃଷ୍ଟି କରୁଥିବା ଓଡିଆ ସାହିତ୍ୟିକମାନଙ୍କୁ ‘ମନୋଜ ଦାସ ଅନ୍ତର୍ଜାତୀୟ ସାହିତ୍ୟ ପୁରସ୍କାର’ ଓଡିଶା ସରକାରଙ୍କ ପକ୍ଷରୁ ପ୍ରତିବର୍ଷ ଦିଆଯିବ | ପୁରସ୍କାର ରାଶି ବାବଦକୁ ୧୦ ଲକ୍ଷ ଟଙ୍କା ପ୍ରଦାନ କରାଯିବ | ଯୁବପୀଢି ମଧ୍ୟରେ ଉଭୟ ଇଂରାଜୀ ଓ ଓଡିଆ ସାହିତ୍ୟ ପ୍ରତି ଆଗ୍ରହ ସୃଷ୍ଟି ନିମନ୍ତେ ପ୍ରତିବର୍ଷ ହାଇସ୍କୁଲସ୍ତରରେ ଇଂରାଜୀ ଓ ସାହିତ୍ୟରେ ମୌଳିକ ରଚନା ପାଇଁ ‘ମନୋଜ-କିଶୋର ସାହିତ୍ୟ ପ୍ରତିଭା ସମ୍ମାନ’ ପ୍ରଦାନ କରାଯିବ | ଏଥିନିମନ୍ତେ ଉଭୟ ଓଡ଼ିଆ ଓ ଇଂରାଜୀ ଭାଷାରେ ଗୋଟିଏ ଗୋଟିଏ ପୁରସ୍କାର ପ୍ରଦାନ କରାଯିବ | ପୁରସ୍କାର ବାବଦରେ ଏକ ଲଷ ଟଙ୍କା ପ୍ରଦାନ କରାଯିବ ” ବୋଲି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ |

ସେହିପରି ମନୋଜ ଦାସଙ୍କ ପରିବାର ସଦସ୍ୟମାନଙ୍କ ପ୍ରସ୍ତାବ କ୍ରମେ ରାଜ୍ୟ ସରକାର ତାଙ୍କର ଜନ୍ମ ସ୍ଥାନ ବାଲେଶ୍ୱର ଜିଲ୍ଲା ଶଂଖାରୀ ଗ୍ରାମରେ ଥିବା ତାଙ୍କର ପୈତୃକ ବାସଭବନକୁ ହାତକୁ ନେବେ ଏବଂ ତାହାକୁ ପ୍ରଥିତଯଶା ଭାତୃଦ୍ୱୟ ପ୍ରଫେସର ମନ୍ମଥ ନାଥ ଦାସ ଓ ମନୋଜ ଦାସ, ଏହି ଦୁଇ ଭାଇଙ୍କ ନାମରେ ‘ମନ୍ମଥ-ମନୋଜ ସ୍ମାରକୀ’ ଭାବରେ ଘୋଷଣା କରାଯିବ | ସେଠାରେ ଉଭୟ ମନ୍ମଥ ନାଥ ଦାସ ଓ ମନୋଜ ଦାସଙ୍କ ଦ୍ୱାରା ଇତିହାସ ଓ ସାହିତ୍ୟ ଉପରେ ଲିଖିତ ସମସ୍ତ ପୁସ୍ତକକୁ ରଖାଯାଇ ଏକ ଲାଇବ୍ରେରୀ ମଧ୍ୟ ସ୍ଥାପନ କରାଯିବ | ବାସଭାବନ ପରିସରରେ ଥିବା ମନ୍ଦିରର ସଂରକ୍ଷଣ ମଧ୍ୟ କରାଯିବ |

ସ୍ଵର୍ଗତ ମନୋଜ ଦାସଙ୍କର ସ୍ମୃତିରେ ଉତ୍କଳ ପ୍ରସଙ୍ଗ, ଓଡିଶା ରିଭ୍ୟୁ ଏବଂ ଓଡିଶା ସାହିତ୍ୟ ଏକାଡେମୀ ପକ୍ଷରୁ ପ୍ରକାଶିତ କୋଣାର୍କ ପତ୍ରିକାର ସ୍ଵତନ୍ତ୍ର ସଂଖ୍ୟା ପ୍ରକାଶ କରାଯିବ |

ସୂଚନାଯୋଗ୍ୟ ଯେ ସ୍ଵର୍ଗତ ମନୋଜ ଦାସଙ୍କର ବିୟୋଗ ପରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ତାଙ୍କ ପରିବାର ସଦସ୍ୟମାନଙ୍କ ସହିତ ଟେଲିଫୋନ ଯୋଗେ କଥା ହୋଇ ସମବେଦନା ଜଣାଇବା ସହିତ ସ୍ଵର୍ଗତ ମନୋଜ ଦାସଙ୍କ ସ୍ମୃତି ରକ୍ଷା ସଂପର୍କରେ ଆଲୋଚନା କରିଥିଲେ |

Post End