ସୋସିଆଲ ମିଡିଆରେ ରତ୍ନସିଂହାସନରେ ବିରାଜିତ ଚତୁର୍ଦ୍ଧାମୂର୍ତ୍ତିଙ୍କ ଫଟୋଚିତ୍ର

ପୁରୀ : ଶ୍ରୀମନ୍ଦିର ରତ୍ନସିଂହାସନରେ ଅଧିଷ୍ଠିତ ଚତୁର୍ଦ୍ଧାମୂର୍ତ୍ତିଙ୍କ ଫଟୋ ସୋସିଆଲ ମିଡିଆରେ ପୁଣି ଭାଇରାଲ୍‌ ହୋଇଛି, ଯାହା ପ୍ରଶାସନର ଦୃଷ୍ଟି ଗୋଚର ହୋଇଛି | ଶ୍ରୀମନ୍ଦିର ଭିତରକୁ କ୍ୟାମେରା ଓ ମୋବାଇଲ ବ୍ୟାନ ଥିବାବେଳେ କିଭଳି ରତ୍ନସିଂହାସନ ରେ ବିରାଜିତ ଫଟୋ ଭାଇରାଲ ହୋଇଛି, ତାକୁ ଚର୍ଚ୍ଚା ଜୋର ରେ ଧରିଛି |

ସୂଚନା ଓ ପ୍ରଯୁକ୍ତି ବିଦ୍ୟା ବିଶେଷଜ୍ଞଙ୍କ ସହାୟତାରେ ଫଟୋଟି କମ୍ପ୍ୟୁଟରରେ ପ୍ରସ୍ତୁତ ହୋଇଛି ନା ଏହା ରତ୍ନସିଂହାସନ ବିଜେ ଚତୁର୍ଦ୍ଧାମୂର୍ତ୍ତିଙ୍କ ଫଟୋ ସେନେଇ ଯାଞ୍ଚ କରାଯାଉଛି | ଫଟୋ ଭାଇରାଲ୍‌ କରିଥିବା ୟୁଜରଙ୍କ ଫେସ୍‌ବୁକ ଆକାଉଣ୍ଟକୁ ବି ଯାଞ୍ଚ କରାଯାଇ ରେକର୍ଡ କରାଯାଇଛି | ଭାଇରାଲ୍‌ ହୋଇଥିବା ଏହି ଫଟୋକୁ ଅରଜିତ ଚନ୍ଦ୍ରା ନାମକ ଜଣେ ପଶ୍ଚିମବଙ୍ଗର ପର୍ଯ୍ୟଟକ ଜଣେ ବରିଷ୍ଠ ସେବାୟତଙ୍କୁ ଟ୍ୟାଗ କରିଛନ୍ତି |

ଏଠି ପ୍ରଶ୍ନ ଉଠୁଛି ଏହି ଫଟୋଚିତ୍ର କିଭଳି ଭାଇରାଲ ହେଲା | ତଦନ୍ତ ପରେ ଯାହା କିଛି କାର୍ୟ୍ୟାନୁଷ୍ଠାନ ନିଆଯିବ ବୋଲି ଶ୍ରୀମନ୍ଦିର ପ୍ରଶାସନର ଜିତେନ୍ଦ୍ର ସାହୁ ସୂଚନା ଦେଇଛନ୍ତି | ଏନେଇ ଶ୍ରୀମନ୍ଦିର ପ୍ରଶାସନର ସୁରକ୍ଷା ପ୍ରଶାସକ ସିଂହଦ୍ୱାର ଥାନାରେ ଘଟଣାର ତଦନ୍ତ ପାଇଁ ଲିଖିତ ଏତଲା ଦେଇଛନ୍ତି |