ଯାଜପୁର: ଜଣେ ଛାତ୍ରୀଙ୍କ ମୃତଦେହକୁ ରାସ୍ତାକଡ଼ରେ ଫିଙ୍ଗିଦେଲେ ଦୁଇ ଜଣ ଯୁବକ | ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ଛାତ୍ରୀ ଝରାଫୁଲଙ୍କ ଶବ ମିଳିଛି ଯାଜପୁର ଜିଲ୍ଲାରୁ | ଦୁଇ ଜଣ ଯୁବକ ଶବ ଫିଙ୍ଗିବା ବେଳର ଭିଡିଓ ସିସିଟିଭିରେ କଏଦ ହୋଇଛି | ଯାହାକୁ ନେଇ ପୁଲିସ ଏ ଘଟଣାର ତଦନ୍ତ ଆରମ୍ଭ କରିଛି |
ସୂଚନା ଅନୁସାରେ ମୟୁରଭଞ୍ଜ ଜିଲ୍ଲା ଯଶିପୁର ଥାନା ବରୁନ୍ଦେଇପୋଷି ଗାଁର ରମାକାନ୍ତ ନାୟକଙ୍କ ଝିଅ ଝରାଫୁଲ, ଯିଏ କି ଭୁବନେଶ୍ୱର ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର +୩ ଦ୍ୱିତୀୟ ବର୍ଷର ଛାତ୍ରୀ | କରୋନା ପାଇଁ ହଷ୍ଟେଲ୍ ଅନିର୍ଦ୍ଧିଷ୍ଟ କାଳପର୍ଯ୍ୟନ୍ତ ବନ୍ଦ ଥିବାରୁ ସେ ଘରକୁ ପଳାଇ ଯାଇଥିଲେ | ବଡ଼ ଭଉଣୀଙ୍କ ଜନ୍ମଦିନ ଥିବାରୁ ଜାନୁଆରୀ ୨୪ ତାରିଖରେ ଭୁବନେଶ୍ୱର ଆସିଥିଲେ ସେ । ଦୁଇ ଦିନ ପରେ ଅର୍ଥାତ ୨୬ ତାରିଖ ସକାଳେ ଝରାଫୁଲ ଘରକୁ ଯାଉଛନ୍ତି ବୋଲି ଫୋନ୍ରେ ବାପାଙ୍କୁ କହିଥିଲେ, ଭାଇ ସହ ମୋବାଇଲରେ ଚାଟ ମଧ୍ୟ କରିଥିଲେ ମାତ୍ର ସେ ଘରେ ପହଞ୍ଚିନଥିଲେ । ନ ପହଂଚିବା ପରେ ବାପା ରମାକାନ୍ତ ବ୍ୟସ୍ତ ହେଇ ଝିଅକୁ ପଚାରିବାରୁ ଦେହ ଭଲ ନାହିଁ ଏବଂ ସେ ଏବେ ସାଙ୍ଗ ଘରେ ଅଛି ବୋଲି ଫୋନରେ ଜଣାଇଥିଲେ | ବାସ ତା ପରଠାରୁ କୌଣସି ଖବର ମିଳିନଥିଲା ଏପରିକି ଝରାଫୁଲର ମୋବାଇଲ ସୁଇଚ ଅଫ ରହିଥିଲା | ଆଜି ସକାଳେ ଦୁଇଜଣ ଯୁବକ ସ୍କୁଟିରେ ଆଣି ଝରାଫୁଲର ମୃତ ଦେହ ଯାଜପୁର ଜିଲ୍ଲାର ଏକ ରାସ୍ତା କଡରେ ଫିଙ୍ଗି ଦେଇ ଯାଇଥିଲେ ବୋଲି ପ୍ରତ୍ୟେକ୍ଷଦର୍ଶୀ କହିଛନ୍ତି | ପ୍ରତ୍ୟେକ୍ଷଦର୍ଶୀଙ୍କ ଠୁ ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଂଚି ମୃତ ଦେହକୁ ଜବତ କରିଛି | ମୃତଦେହ ନିକଟରୁ ଭ୍ୟାନିଟି ବ୍ୟାଗ, ଖାତା ବହି ଏବଂ ତାର ଟେଲିଫୋନ ନମ୍ବର ପାଇଁ ପୋଲିସ ଫୋନ କରିବା ପରେ ସେ ଝରାଫୁଲ ବୋଲି ଚିହ୍ନଟ ହୋଇଛି |
ଝରାଫୁଲଙ୍କ ଘରଲୋକେ ଥାନାରେ ଏତଲା ଦେବା ପରେ ପୋଲିସ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ହଷ୍ଟେଲ ଯାଇ ପଚରାଉଚୁରା କରିଛି | ୱାଡେ଼ନ କହିଛନ୍ତି ଯେ, ଗତ ମାର୍ଚ୍ଚ ରୁ ହଷ୍ଟେଲ ବନ୍ଦ ରହିଛି ,ଏ ପର୍ଯ୍ୟନ୍ତ ଖୋଲାହୋଇନାହିଁ |