ଭୁବନେଶ୍ୱର : ଦୁର୍ଘଟଣାର ଶିକାର ହେଲେ ‘କାଚା ବାଦାମ’ ଗାଇଥିବା ଗାୟକ ଭୁବନ ବାଦକର। ଆହତ ଅବସ୍ଥାରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ମିଳିଥିବା ସୂଚନା ଅନୁଯାୟୀ, ଭୁବନ ଏକ କାର୍ ଚଲାଇବା ଶିଖୁଥିଲେ ଏବଂ ଏହି ସମୟ ମଧ୍ୟରେ ସେ ଏକ ଦୁର୍ଘଟଣାର ଶିକାର ହୋଇଥିଲେ । ବର୍ତ୍ତମାନ ସେ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ତାଙ୍କ ଛାତିରେ ଗଭୀର ଆଘାତ ଲାଗିଛି।
ଭୁବନ ବାଦକର ପଶ୍ଚିମବଙ୍ଗର ବୀରଭୂମ ଜିଲ୍ଲାର ବାସିନ୍ଦା। ଭୁବନ ବାଦାମ ବିକ୍ରି କରି ରୋଜଗାର କରୁଥିଲେ । ଗ୍ରାହକଙ୍କୁ ଆକର୍ଷିତ କରିବା ପାଇଁ ସେ ‘କାଚା ବାଦାମ’ ଗୀତ ରଚନା କରିଥିଲେ। ବାଦାମ ବିକ୍ରି କରି ସେ ଦିନକୁ ୨୦୦-୨୫୦ ଟଙ୍କା ରୋଜଗାର କରୁଥିଲେ ଏବଂ ସେଥିରେ ତାଙ୍କର ପରିବାର ଚଳୁଥିଲା। ହେଲେ ତାଙ୍କର କାଚା ବାଦାମ ଗୀତକୁ କେହି ଜଣେ ସୋସିଆଲ ମିଡିଆରେ ଅପଲୋଡ୍ କରିଥିଲେ ଯାହାକି ଖୁବ ଭାଇରାଲ ହୋଇଥିଲା । ପରବର୍ତ୍ତୀ ସମୟରେ ଲୋକମାନେ ତାଙ୍କ ଗୀତରେ ଭିଡିଓ ଏବଂ ଇନଷ୍ଟାଗ୍ରାମ ରିଲ୍ ତିଆରି କରିଥିଲେ ।
ଏହା ପରେ ଭୁବନ ବାଦକରଙ୍କ ଜୀବନ ହଠାତ୍ ବଦଳିଗଲା, ତାଙ୍କୁ ପଶ୍ଚିମବଙ୍ଗର ଏକ କ୍ଲବରେ ଗୀତ ଗାଇବାକୁ ଅଫର ମଧ୍ୟ ମିଳିଲା । କିଛି ଦିନ ପୂର୍ବେ ଏକ ମ୍ୟୁଜିକ୍ କମ୍ପାନୀ ଭୁବନକୁ ତାଙ୍କ ଆଗାମୀ ଗୀତ ପାଇଁ ରୟାଲଟି ଭାବରେ ୧.୫ ଲକ୍ଷ ପ୍ରଦାନ କରିଛି। ବର୍ତ୍ତମାନ ସୋସିଆଲ ମିଡିଆରେ ବ୍ୟବହାରକାରୀମାନେ ତାଙ୍କ ପାଇଁ ପ୍ରାର୍ଥନା କରୁଛନ୍ତି ।