ଟୁକୁନାକୁ କିଏ ଓ କାହିଁକି ମାରିଲା ? ଜାଣନ୍ତୁ ପୁରା ଘଟଣାବଳୀ

ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱରର ସିଆରପି ଛକରେ ଦିନ ଦି ପ୍ରହରରେ ଘଟିଲା ହତ୍ୟାକାଣ୍ଡ | ଆଖି ଆଗରେ ହତ୍ୟା ଦେଖିବା ପରେ ଉତକ୍ଷିପ୍ତ ଜନତା ବୀଚ ରାସ୍ତାରେ ନିର୍ଘାତ ପିଟିଚାଲିଲେ ହତ୍ୟାକାରୀଙ୍କୁ | ଏ ହତ୍ୟା ଘଟଣାର ପୁରା କାହାଣୀ ଖୁଲାସା କହିଛନ୍ତି ଭୁବନେଶ୍ୱର ଡିସିପି ଉମାଶଙ୍କର ମିଶ୍ର |

ସାଲିଆ ସାହିର ୩ ଜଣ ବ୍ୟକ୍ତି ସାଗର ପୃଷ୍ଟି, ସୁଧିର ପୃଷ୍ଟି, ଟୁକୁନା ଦାସ ଏକ ପିକଅପ ଭ୍ୟାନରେ ଆସୁଥିବା ବେଳେ ଏକ ଘଟଣାକୁ ନେଇ ଝଗଡା ଆରମ୍ଭ ହେଇଥିଲା | ହଠାତ ସିଆରପି ଛକରେ ଗାଡ଼ିଟିକୁ ରଖି ଦେଇ ସାଗର ଓ ସୁଧୀର ଦୁହେଁ ଏକ ଧାରୁଆ ମାରଣାସ୍ତ୍ର ସାହାଯ୍ୟରେ ଟୁକୁନାକୁ ମରଣାନ୍ତକ ଆକ୍ରମଣ କଲେ | ଘଟଣା ଘଟିବାର ଅଳ୍ପ କିଛି ଦୂରରେ କିଛି ଲୋକ ବସି ତାସ ଖେଳୁଥିଲେ | ହଠାତ ଗାଡି ଭିତରେ ହାତାହାତି ହେବାର ଦୃଶ୍ୟ ଦେଖି ସେମାନେ ଗାଡି ନିକଟକୁ ଆସି ଗାଡିର କାଚକୁ ବାଡେଇଥିଲେ | ଏହା ମଧ୍ୟରେ ଟୁକୁନାର ମୃତ୍ୟୁ ହେଇସାରିଥିଲା | ଗାଡି ବାହାରେ ପାଟିତୁଣ୍ଡ ଶୁଣି ସାଗର ଓ ସୁଧୀର ଦୁହେଁ ଡୋର ଖୋଲି ଦୌଡିବା ବେଳେ ଲୋକେ ସେମାନଙ୍କୁ କାବୁ କରି ନିର୍ଘାତ ପିଟି ଚାଲିଲେ | ଏହି ସମୟରେ କେହି ଜଣେ ମହିଳା ପୋଲିସ ଙ୍କୁ ଖବର ଦେବା ପରେ ପିସିଆର ଭ୍ୟାନ ପହଂଚିଥିଲା | ପୋଲିସ ଦୁହିଁଙ୍କୁ ଭ୍ୟାନରେ ବସେଇବା ପରେ ବି ଉତକ୍ଷିପ୍ତ ଜନତାଙ୍କ ରାଗ ଶାନ୍ତ ପଡ଼ିନଥିଲା | ପିସିଆର ଭ୍ୟାନରୁ ପୁଣି ଟାଣିକି ଆଣି ଦୁହିଁଙ୍କୁ ଲହୁ ଲୁହାଣ କରିଦେଲେ | ଏପରିକି ପିସିଆର ଭ୍ୟାନକୁ ମଧ୍ୟ ଭଙ୍ଗାରୁଜା କଲେ | ଏହା ପରେ ୨ରୁ ୩ଟି ପିସିଆର ଭ୍ୟାନ ଘଟଣାସ୍ଥଳରେ ପହଂଚି ଲୋକଙ୍କୁ ବୁଝାସୁଝା କରିବା ସହ ଅଭିଯୁକ୍ତଙ୍କୁ ହସ୍ପିଟାଲ ପଠାଇଥିଲେ |

ଡିସିପି ଆହୁରି ମଧ୍ୟ କହିଛନ୍ତି , ୩ଜଣଙ୍କ ଭିତରେ ଆଗରୁ ବଚସା ଲାଗିରହିଥିଲା | ଗତକାଲି ସନ୍ଧ୍ୟାରେ ଓ ଆଜି ସକାଳରୁ ମଧ୍ୟ କୌଣସି କାରଣକୁ ନେଇ ପାଟିତୁଣ୍ଡ ହୋଇଥିଲା | ଏହାପରେ ଟୁକୁନାକୁ ଗାଡିରେ ବସାଇ ନେଇ ଆସିଥିଲେ ସାଗର ଓ ସୁଧିର | ଗାଡି ଭିତରେ ହିଁ ସେମାନେ ଟୁକୁନାକୁ ଆକ୍ରମଣ କରିଥିଲେ | ମୃତ ଚୁକୁନା ନାଁରେ ଆଗରୁ ମଧ୍ୟ ନୟାପଲୀ ଥାନାରେ ମାରପିଟ ମାମଲା ରହିଛି | ଲୋକଙ୍କ ସହିତ ଗଣ୍ଡଗୋଳ କରିବା ତାର ଅଭ୍ୟାସ ବୋଲି ସାଲିଆ ସାହି କିଛି ଲୋକ କହିଛନ୍ତି |