କେ.ଭି ଆନନ୍ଦଙ୍କ ପରଲୋକ , ନିର୍ଦ୍ଦେଶକ ଓ ସିନେମାଟୋଗ୍ରାଫର ଭାବେ ମିଳିଥିଲା ଜାତୀୟ ପୁରସ୍କାର

ନୂଆଦିଲ୍ଲୀ: ଜଣାଶୁଣା ନିର୍ଦ୍ଦେଶକ ତଥା ସିନେମାଟୋଗ୍ରାଫର କେ.ଭି ଆନନ୍ଦଙ୍କ ଦେହାନ୍ତ ହୋଇଛି | ଫଟୋ ଜର୍ଣ୍ଣାଲିଷ୍ଟ ଭାବେ ନିଜର କ୍ୟାରିଅର୍ ଆରମ୍ଭ କରିଥିବା ଆନନ୍ଦ ପରେ ସିନେମାଟୋଗ୍ରାଫର ଏବଂ ଚଳଚ୍ଚିତ୍ର ନିର୍ଦ୍ଦେଶକ ଭାବରେ ସିନେ ଜଗତରେ ପ୍ରବେଶ କରିଥିଲେ | ଆଜି ସକାଳେ ତାଙ୍କର ପରଲୋକ ଘଟିଛି, ମୃତ୍ୟୁ ବେଳକୁ ତାଙ୍କୁ ୫୪ ବର୍ଷ ବୟସ ହୋଇଥିଲା |

କେ ଭି ଆନନ୍ଦ ବିଭିନ୍ନ ତାମିଲ ପତ୍ରିକାଗୁଡ଼ିକ ପାଇଁ ଚିତ୍ର ସୁଟିଂ କରିବା ପରେ ୧୯୯୦ ଦଶକ ଆରମ୍ଭରୁ ସେ ସିନେମାଟୋଗ୍ରାଫର ପି.ସି ଶ୍ରୀମାନଙ୍କର ସହକାରୀ ଭାବରେ କାର୍ଯ୍ୟ କରିଥିଲେ | ଆନନ୍ଦ ମାଲାୟାଲମ୍ ଚଳଚ୍ଚିତ୍ର ‘ଥିମାବିନ କୋମ୍ବାଥ’ରେ ସିନେମାଟୋଗ୍ରାଫର ଭାବରେ ଚଳଚ୍ଚିତ୍ର ଜୀବନ ଆରମ୍ଭ କରିଥିଲେ ଯେଉଁଥିପାଇଁ ସେ ଜାତୀୟ ପୁରସ୍କାର ଲାଭ କରିଥିଲେ |

ତାଙ୍କର ପ୍ରଥମ ତାମିଲ ଚଳଚ୍ଚିତ୍ର ଥିଲା ‘କାଦଲ ଦେଶମ୍’ ଏବଂ ପରେ ତାମିଲ, ତେଲୁଗୁ, ମାଲାୟାଲମ୍ ଏବଂ ହିନ୍ଦୀ ଚଳଚ୍ଚିତ୍ରରେ କାମ କରିଥିଲେ | ସେ ପ୍ରସିଦ୍ଧ ଫିଲ୍ମ ମେକର ଶଙ୍କରଙ୍କ ସହ ‘ମୁଧଲବନ୍’ ଏବଂ ରଜନୀକାନ୍ତଙ୍କ ଅଭିନୀତ ‘ଶିବାଜୀ’ରେ ସିନେମାଟୋଗ୍ରାଫର ଭାବେ କାର୍ଯ୍ୟ କରିଥିଲେ |

୨୦୦୫ ମସିହାରେ ଆନନ୍ଦ ପ୍ରଥମେ ଚଳଚ୍ଚିତ୍ର ନିର୍ଦ୍ଦେଶକ ଭାବରେ ‘କାନା କାଣ୍ଡେନ୍’ ରୁ କାର୍ଯ୍ୟ ଆରଂଭ କରିଥିଲେ | ପରେ ପରେ ‘ଆୟାନ୍’, ‘କୋ’, ‘ମାଟ୍ରାନ୍’, ‘କପନ’ ଇତ୍ୟାଦି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇ ସଫଳତା ସାଉଁଟିଥିଲେ |