ଭୁବନେଶ୍ୱର: କର୍କଟ ରୋଗର ଚିକିତ୍ସାରେ କେମୋଥେରାପିରୁ ଆରମ୍ଭ କରି ଅନେକ ପ୍ରକାରର ଅସ୍ତ୍ରୋପଚାର କରିବାକୁ ପଡିଥାଏ । ଏହା ପରେ ମଧ୍ୟ ଶରୀରରେ ଅନେକ ପ୍ରକାରର ପାର୍ଶ୍ୱ ପ୍ରତିକ୍ରିୟା ମଧ୍ୟ ଦେଖା ଦେଇଥାଏ । ଏପରି ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି ଆମେରିକାରୁ ।
ଆମେରିକା ନିବାସୀ ଜଣେ ୪୨ ବର୍ଷୀୟ ମହିଳା କ୍ୟାମେରନ କହିଛନ୍ତି ଯେ ୨୦୧୩ ମସିହାରେ ସେ ଚର୍ମ କର୍କଟ ରୋଗରେ ଆକ୍ରାନ୍ତ ହୋଇଥିବା ନେଇ ଜାଣିବାକୁ ପାଇଥିଲେ। ଏହା ପରେ ସେ ଚିକିତ୍ସା ଆରମ୍ଭ କରିଥିଲେ। ଚିକିତ୍ସା ସମୟରେ ଡାକ୍ତରମାନେ ତାଙ୍କ ଜିଭରେ ଅସ୍ତ୍ରୋପଚାର ପାଇଁ ଜଙ୍ଘର ଚର୍ମକୁ ପ୍ରୟୋଗ କରିଥିଲେ।
ହେଲେ ଅସ୍ତ୍ରୋପଚାର କିଛି ମାସ ପରେ ସେ ଜିଭରେ କିଛି ଉଠୁଥିବାର ଅନୁଭବ କରିଥିଲେ , ଆଉ ଯେତେବେଳେ ସେ ପାଟି ଖୋଲି ଦେଖନ୍ତି ତ ଆଶ୍ଚର୍ଯ୍ୟ ଚକିତ ହୋଇଯାନ୍ତି, କାରଣ ତାଙ୍କ ଜିଭରେ ଚୁଟି ଉଠିବା ଆରମ୍ଭ ହୋଇଥିଲା ।
ନ୍ୟୁୟର୍କ ଟାଇମ୍ସରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, କର୍କଟ ରୋଗକୁ ପରାସ୍ତ କରି କ୍ୟାମେରନଙ୍କ ଜୀବନ ସିନା ରକ୍ଷା ପାଇଥିଲା, କିନ୍ତୁ ସେ ଖାଦ୍ୟ ଏବଂ ପାନୀୟର ସ୍ୱାଦ ଚାଖିବାକୁ ଅସମର୍ଥ। ଏହା ସହିତ, ଏହା କୁହାଯାଉଛି ଯେ ଅନେକ ବର୍ଷର ପୁନରୁଦ୍ଧାର ପରେ ମଧ୍ୟ ତାଙ୍କ ଜିଭରେ କିଛି ପାର୍ଶ୍ୱ ପ୍ରତିକ୍ରିୟା ଦେଖା ଦେଇଥିଲା, ଯେଉଁଥିପାଇଁ ସେ ଦୀର୍ଘ ସମୟ ଧରି ନିରନ୍ତର କଥା ହୋଇପାରନ୍ତି ନାହିଁ ।