ଦୁର୍ଘଟଣାରେ ଚାଲିଗଲା ପ୍ରେମିକର ଦୁଇ ଗୋଡ଼, ପ୍ରେମିକା ଛାଡ଼ିଲାନି ପ୍ରେମିକର ହାତ

ଭୁବନେଶ୍ୱର: ପ୍ରେମ ଓ ପ୍ରେମିକ ପାଇଁ ଧାଇଁ ଆସିଲେ ପ୍ରେମିକା । କାରଣ କଥା ଦେଇଥିଲେ ଅଧା ରାସ୍ତାରୁ କେବେ ହାତ ଛାଡିବେନି ବୋଲି। ଯେତେ ସମସ୍ୟା,କଷ୍ଟ ଆସିଲେ ମଧ୍ୟ ସାତ ଜନ୍ମ ସାଥିରେ ରହିବା ପାଇଁ ଶପଥ ନେଇଥିଲେ । ଯାହାକୁ ବାସ୍ତବରେ ପ୍ରମାଣିତ କରିଦେଖାଇଛନ୍ତି ପ୍ରେମିକା । ଆମେ କହୁଛୁ ଜଗତସିଂହପୁର ଅଞ୍ଚଳର ସ୍ୱପ୍ନାରାଣୀ ବାରିକ ଓ ତାଳଚେର ବଜ୍ରକୋଟ ନିବାସୀ ଜିତେନ୍ଦ୍ର ବାରିକଙ୍କ କଥା । ଯିଏ କି ଦୀର୍ଘ ସାତ ବର୍ଷ ହେଲା ଦୁହେଁ ଦୁହିଁଙ୍କୁ ପ୍ରେମ କରୁଥିଲେ।

ଯେତେବେଳେ ଜିତେନ୍ଦ୍ର ଜଗତସିଂହପୁରର ଏକ ସେଲୁନରେ ରହି କାମ କରୁଥିଲେ ସେତେବେଳେ ସେ ସ୍ୱପ୍ନାରାଣୀଙ୍କୁ ଦେଖିଥିଲେ । ପ୍ରଥମ ଦେଖାରେ ହିଁ ସ୍ୱପ୍ନାରାଣୀଙ୍କ ପ୍ରେମରେ ପଡିଯାଇଥିଲେ ଜିତେନ୍ଦ୍ର। ଆଉ ଦୁହିଁଙ୍କ ପ୍ରେମବି ଥିଲା କିଛି ଏମିତି ଯେ, କିଏ କାହାକୁ ଘଡ଼ିଏ ନ ଦେଖିଲେ ରହିପାରନ୍ତି ନାହିଁ । ହେଲେ ସ୍ୱପ୍ନାରାଣୀ ଓ ଜିତେନ୍ଦ୍ରଙ୍କ ପ୍ରେମରେ ଯେମିତି କାହାର ନଜର ଲାଗିଗଲା । ଦୁହେଁ ଦେଖିଥିବା ସ୍ବପ୍ନ ସାକାର ହେବା ପୂର୍ବରୁ ଦୁର୍ଘଟଣା ଘଟିଗଲା ।

ଜଗତସିଂହପୁର ଛାଡି ନିଜ ଜନ୍ମମାଟିରେ ଏକ ଘରୋଇ କମ୍ପାନୀରେ କାମ କରୁଥିଲେ ଜିତେନ୍ଦ୍ର । ହେଲେ ଦିନେ କମ୍ପାନୀରୁ ଘରକୁ ଫେରୁଥିବା ବେଳେ ଦୁର୍ଘଟଣାର ଶିକାର ହେଲେ ଜିତେନ୍ଦ୍ର। ଦୁର୍ଘଟଣାରେ ଜୀବନ ସିନା ବଞ୍ଚିଗଲା ହେଲେ ସବୁଦିନ ପାଇଁ ଦୁଇ ଗୋଡ ହରାଇଲେ । ପ୍ରେମିକର ଏମିତି ଖବର ଶୁଣିବା ପରେ ଆଉ ମନକୁ ସମ୍ଭାଳିପାରିନଥିଲେ ପ୍ରେମିକା ସ୍ୱପ୍ନାରାଣୀ। ଜଗତସିଂହପୁର ରୁ ତାଳଚେର ଧାଇଁ ଆସିଥିଲେ ପ୍ରେମିକାକୁ ଟିକେ ଦେଖା କରିବାକୁ ।

ପରେ ଉଭୟଙ୍କ ପରିବାର ଲୋକେ ଜାଣିବାକୁ ପାଇଥିଲେ ଜିତେନ୍ଦ୍ର ଓ ସ୍ୱପ୍ନାରାଣୀଙ୍କ ପ୍ରେମ ସମ୍ପର୍କ ବିଷୟରେ । ହେଲେ ପୁଅର ଏଭଳି ଅବସ୍ଥା ଦେଖି ସ୍ୱପ୍ନାରାଣୀଙ୍କ ପରିବାରଲୋକେ ବିବାହ ଦେବାକୁ ମନାକରିଦେଲେ । ହେଲେ ପ୍ରେମ ପାଇଁ ପ୍ରେମୀକର ହାତ ଛାଡ଼ିନଥିଲେ ସ୍ୱପ୍ନାରାଣୀ । ପରିବାରକୁ ପର କରି ଜିତେନ୍ଦ୍ରଙ୍କୁ ଶେଷରେ ବିବାହ କରିଥିଲେ । ଏବେ ଦୁହେଁ ଦୁହିଁଙ୍କୁ ପାଇଁ ବେଶ ଖୁସିରେ ଅଛନ୍ତି ।