ଭୁବନେଶ୍ୱର: ପୁଅ ହେବ ତ ଏମିତି । ଯିଏ କି ନିଜ ଜୀବନକୁ କୁ ଖାତିର ନ କରି କୂଅକୁ ଡେଇଁପଡ଼ିଥିଲା । ପୁଅର ଏଭଳି ସାହସ ଆଉ ଉଦ୍ୟମ କୁ ସମସ୍ତେ ପ୍ରଶଂସା କରୁଛନ୍ତି ।
ଏ ଘଟଣା ଟି ହେଉଛି ନୂଆପଡା ଜିଲ୍ଲା କୋମନା ବଙ୍ଗଲାପଡାର। କୂଅରେ ପଡି ଯାଇଥିବା ମାଙ୍କୁ ଉଦ୍ଧାର କରିବାକୁ ଯାଇ ପୁଅ ମଧ୍ୟ କୂଅକୁ ଡେଇଁ ପଡ଼ିଥିଲେ । ପରେ ଖବର ପାଇ ଘଟଣାସ୍ଥଳରେ ଦମକଳ ବାହିନୀ ପହଞ୍ଚି ଉଭୟ ମା ଓ ପୁଅଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଛି ।
ମିଳିଥିବା ସୂଚନା ଅନୁଯାୟୀ, ଶନିବାର ସକାଳେ କୋମନା ବଙ୍ଗଲାପଡାର ୬୬ ବର୍ଷ ବୟସ୍କା ଶଶିପ୍ରଭା ପାଣିଗ୍ରାହି ଘର ନିକଟରେ ଥିବା କୂଅ ପାଖରେ ବସିଥିଲେ । ହେଲେ ଭାରସାମ୍ୟ ହରାଇ ଶଶିପ୍ରଭା ହଠାତ୍ କୂଅରେ ପଡି ଯାଇଥିଲେ । ମା କୂଅରେ ପଡ଼ିଯାଇଥିବା ଦେଖି ପୁଅ ସତ୍ୟନାରାୟଣ ମାଙ୍କୁ ଉଦ୍ଧାର କରିବାକୁ ଯାଇ ୨୦ ଫୁଟ୍ ଗଭୀର କୂଅକୁ ଡେଇଁ ପଡିଥିଲେ । ପରେ କୋମନା ଦମକଳ ବାହିନୀ ଘଟଣାସ୍ଥଳକୁ ପହଞ୍ଚି ମା ଓ ପୁଅଙ୍କୁ ସୁରକ୍ଷିତ ଉଦ୍ଧାର କରିଥିଲା । ତେବେ ଉଭୟ ମା ଓ ପୁଅ ସୁସ୍ଥ ଥିବା ଜଣାପଡିଛି।