ପେଟ ଯନ୍ତ୍ରଣା ନେଇ ଡାକ୍ତରଖାନାରେ ପହଁଚିଲେ ୩୬ ବର୍ଷୀୟ ଯୁବକ, ପେଟରୁ ବାହାରିଲା ୬୩ କଏନ

ଭୁବନେଶ୍ୱର: ରାଜସ୍ଥାନ ଯୋଧପୁର ରୁ ଏକ ଅଜବ ଘଟଣା ସାମ୍ନାକୁ ଆସିଛି । ଜଣେ ୩୬ ବର୍ଷୀୟ ବ୍ୟକ୍ତି ପାଖାପାଖି ୬୩ ଟି ଟଙ୍କିକିଆ କଏନ ଖାଇଦେଇଥିଲେ। ଏହା ପରେ ତାଙ୍କର ପେଟରେ ଯନ୍ତ୍ରଣା ହେବାରୁ ତାଙ୍କୁ ତୁରନ୍ତ ଡାକ୍ତରଖାନା ନିଆଯାଇଥିଲା। ପରୀକ୍ଷା ସମୟରେ ଡାକ୍ତରମାନେ ତାଙ୍କ ପେଟରେ କିଛି ଧାତୁ ଗୁଣ୍ଡ ଥିବା ଦେଖିବାକୁ ପାଇଥିଲେ।

ଏମଡିଏମ ହସ୍ପିଟାଲର ଡାକ୍ତରଙ୍କ ଏକ ଟିମ୍ ଏଣ୍ଡୋସ୍କୋପିକ୍ ପ୍ରଣାଳୀ ସାହାଯ୍ୟରେ ବ୍ୟକ୍ତିଙ୍କ ପେଟରୁ ପ୍ରାୟ ୬୩ ଟି ୧ ଟଙ୍କିଆ କଏନ ବାହାର କରିଥିଲେ। ଚିକିତ୍ସା କରୁଥିବା ଜଣେ ଡାକ୍ତର କହିଛନ୍ତି, ‘ବ୍ୟକ୍ତି ଜଣକ ପେଟରେ ଯନ୍ତ୍ରଣା ଅନୁଭବ କରୁଥିଲେ। କଣ ଖାଇଥିଲେ ବୋଲି ପଚାରିବାରୁ ବ୍ୟକ୍ତିଜଣକ କହିଥିଲେ ଯେ ସେ ୧୦ ରୁ ୧୫ ଟି ମୁଦ୍ରା ଖାଇଛନ୍ତି। ଯେତେବେଳେ ଆମେ ତାଙ୍କ ପେଟର ଏକ୍ସ-ରେ କରିଥିଲୁ, ସେତେବେଳେ ଆମେ ତାଙ୍କ ପେଟରେ କିଛି ଧାତୁ ଥିବାର ଦେଖିବାକୁ ପାଇଥିଲୁ । ପରେ ଆମେ ସେହି ବ୍ୟକ୍ତିଙ୍କର ଅପରେସନ୍ କରିଥିଲୁ ଏବଂ ବର୍ତ୍ତମାନ ସେ ସୁସ୍ଥ ଅଛନ୍ତି। ତେବେ ଉଦାସୀନ ଅବସ୍ଥାରେ ଜିନିଷ ଗିଳିବାର ଅଭ୍ୟାସ ଥିବାରୁ ଡାକ୍ତର ସେହି ବ୍ୟକ୍ତିଙ୍କୁ ମାନସିକ ଚିକିତ୍ସା ପାଇଁ ପରାମର୍ଶ ଦେଇଥିଲେ।